ନୂଆଦିଲ୍ଲୀ : ଭାରତକୁ ଯକ୍ଷ୍ମାମୁକ୍ତ କରିବା ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲୋକସଭା ବାଚସ୍ପତି ଏକାଦଶ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନୁରାଗ ଠାକୁର ଲୋକସଭା ବାଚସ୍ପତି ଏକାଦଶର ଅଧିନାୟକତ୍ୱ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭା ଅଧ୍ୟକ୍ଷ ଏକାଦଶର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏହି ମ୍ୟାଚରେ ଅନୁରାଗ ଠାକୁ ଅପରାଜିତ ୧୧୧ ରନ୍ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ତ୍ରିରଙ୍ଗା ବେଲୁନ ଛାଡି ମ୍ୟାଚକୁ ଉଦଘାଟନ କରିଥିଲେ । ମ୍ୟାଚରେ ସାଂସଦମାନେ ‘ଯକ୍ଷ୍ମା ହାରିବ ଏବଂ ଭାରତ ଜିତିବ’ ସ୍ଲୋଗାନ ଲେଖାଥିବା ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଲୋକସଭା ବାଚସ୍ପତି ଏକାଦଶ ପ୍ରଥମେ ବ୍ୟାଟିଂ ନେଇଥିଲା । ଅଧିନାୟକ ଅନୁରାଗ ଠାକୁର ୫୯ ବଲରୁ ଶତକ ହାସଲ କରିଥିବାବେଳେ ସେ ମୋଟ ୬୫ ବଲ୍ ଖେଳି ଅପରାଜିତ ୧୧୧ ରନ ସଂଗ୍ରହ କରିଥିଲେ । ୨୦ ଓଭର ବିଶିଷ୍ଟ ମ୍ୟାଚ୍ରେ ଲୋକସଭା ବାଚସ୍ପତି ଏକାଦଶ ପ୍ରତିପକ୍ଷ ସମ୍ମୁଖରେ ୨୫୧ ରନର ବିଜୟ ଲକ୍ଷ୍ୟ ରଖିଥିଲା । ପରେ ରାଜ୍ୟସଭା ଅଧ୍ୟକ୍ଷ ଏକାଦଶ ଦଳ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ମ୍ୟାଚ ଶେଷରେ ଅନୁରାଗ ଠାକୁରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶ୍ରୀ ବିର୍ଲା ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇବା ସହିତ ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ଏଭଳି ପ୍ରୟାସ ସଚେତନତା ବାର୍ତ୍ତାର ଅଧିକ ପ୍ରସାର କରିବ ବୋଲି ପ୍ରକାଶ କରିଥିଲେ । ମ୍ୟାଚ ଶେଷରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।