ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଯଶପ୍ରୀତ ବୁମରାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେବାପରେ ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ଇଶା ଗୁହା । ବ୍ରିସବେନରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଅବସରରେ ବୁମରାଙ୍କ ସମ୍ପର୍କରେ ଉଲ୍ଲେଖ କରି ଇଶା ତାଙ୍କୁ ‘ସବୁଠାରୁ ମୂଲ୍ୟବାନ ଆଦିମ ଅଧିବାସୀ’ ବୋଲି ମନ୍ତବ୍ୟ ଦେଇଥିଲେ । ଇଶାଙ୍କର ଏଭଳି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବୁମରାଙ୍କ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଇଶାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ସୋମବାର ତୃତୀୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଗୁହା ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରି ଏକ ବିବୃତି ଜାରି କରିଥିଲେ ।
ଇଶା କହିଥିଲେ, ଏହି ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିବାକୁ ଯାଇ ସେ ଏଭଳି କହିଦେଇଥିଲେ । ବୁମରା ଏଭଳି ଖେଳାଳି ଯିଏ ଭାରତ ପାଇଁ ଏହି ମ୍ୟାଚରେ ସବୁକିଛି କରୁଛନ୍ତି । ଇଶା ଆଉ ମଧ୍ୟ କହିଛନ୍ତି ଯେ ବୁମରାଙ୍କୁ ନେଇ ସେ ଏଭଳି ଏକ ଶବ୍ଦ ବ୍ୟବହାର କରିଛନ୍ତି ଯାହାକୁ ବିଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇପାରିବ । ତେବେ ଯଦି ସେଥିରେ କିଛି ଅପମାନଜନକ ରହିଥାଏ ତେବେ ସେ କ୍ଷମା ମାଗୁଛନ୍ତି । ତାଙ୍କ କଥାକୁ ଯଦି ସମ୍ପୂର୍ଣ୍ଣ ଭାବରେ ଶୁଣାଯାଏ ତେବେ ଜଣାଯିବ ଯେ ଭାରତର ଏହି ଅନ୍ୟତମ ମହାନ ଖେଳାଳିଙ୍କ ନିମନ୍ତେ ସେ ବିପୁଳ ପ୍ରଶଂସା କରିଛନ୍ତି । ତେବେ ତାଙ୍କୁ ନେଇ ସେ ବ୍ୟବହାର କରିଥିବା ଶବ୍ଦ ପାଇଁ ଦୁଃଖିତ ।