ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗ୍ ୨୦୨୫ ସଂସ୍କରଣ ପାଇଁ ଶେଷ ହୋଇଛି ଖେଳାଳି ନିଲାମ। ବେଙ୍ଗାଲୁରୁରେ ହୋଇଥିବା ନିଲାମରେ ୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। ଏହି ୧୯ଜଣ ଖେଳାଳିଙ୍କ ପାଇଁ ମୋଟ ୯.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଗୁଜରାଟ ଜାଏଣ୍ଟ୍ସ କିଣିଥିବା ସିମ୍ରନ ଶେଖ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।
ନିଲାମରେ ୫ଟି ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟ୍ସ, ୟୁପି ୱାରିୟର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭାଗ ନେଇଥିଲେ । ଏଥିରେ ୪ ଜଣ ଖେଳାଳି କୋଟିଏରୁ ଅଧିକ ଟଙ୍କାରେ କିଣା ଯାଇଛନ୍ତି। ତେବେ ୨୨ ବର୍ଷୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ତଥା ପ୍ରଭାବୀ ଲେଗ୍ ସ୍ପିନର ଭାବେ ପରିଚିତ ସିମ୍ରନ୍ ଶେଖଙ୍କୁ ଗୁଜରାଟ ଜାଏଣ୍ଟ୍ସ ୧.୯ କୋଟି ଟଙ୍କା ବିନିମୟରେ ନିଜ ଦଳରେ ସାମିଲ କରିଛି। ସିମ୍ରନଙ୍କ ପରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ୱେଷ୍ଟଇଣ୍ଡିଜର ଡିଂଡ୍ରା ଡୋଟିନ୍। ତାଙ୍କୁ ମଧ୍ୟ ଗୁଜରାଟ ଜାଏଣ୍ଟ୍ସ କିଣିଛି। ତାଙ୍କୁ ୧.୭ କୋଟି ଟଙ୍କାରେ ଗୁଜରାଟ କିଣିଥିବା ବେଳେ ତୃତୀୟରେ ରହିଛନ୍ତି ୧୬ ବର୍ଷୀୟା ୱିକେଟ୍ କିପର ଜି. କମଳିନୀ। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୬ କୋଟି ଟଙ୍କାରେ କିଣିଛି। ଏହି ଅକ୍ସନରେ କୋଟିପତି ହେବାରେ ଚତୁର୍ଥ ତଥା ଶେଷ ଖେଳାଳି ହୋଇଛନ୍ତି ପ୍ରେମା ରାୱତ । ତାଙ୍କୁ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍ ୧.୨ କୋଟି ଟଙ୍କା ବିନିମୟରେ ନିଜ ଦଳରେ ସାମିଲ କରିଛି। ୨୩ ବର୍ଷୀୟା ବୋଲିଂ ଅଲରାଉଣ୍ଡର ପ୍ରେମା ଜଣେ ଘାତକ ଲେଗ୍ ସ୍ପିନର ଓ ଦକ୍ଷ ବ୍ୟାଟ୍ସମ୍ୟାନ ଭାବେ ବେଶ ପରିଚିତ।