ମାସ୍କଟ, ୧୬|୧୨: କନିଷ୍ଠ ଏସିଆ ହକି କପ୍ରେ ବାଜି ମାରିଛି ଭାରତ। ଉଭୟ ପୁରୁଷ ଓ ମହିଳା ଦଳ ଏହି ହକି ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି। ପୂର୍ବରୁ ପୁରୁଷ ଦଳ ବିଜେତା ହୋଇଥିବା ବେଳେ ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତ ଚୀନ୍କୁ ୩-୨ (୧-୧) ଗୋଲରେ ପରାସ୍ତ କରିଥିଲା। ମ୍ୟାଚ୍ର ପ୍ରଥମ କ୍ବାର୍ଟର ବିନା ଗୋଲ୍ ଶେଷ ହୋଇଥିଲା। ସେହିପରି ଦ୍ବିତୀୟ କ୍ବାର୍ଟରର ଶେଷ ମିନିଟ୍ରେ ଚୀନ୍କୁ ମିଳିଥିବା ପେନାଲ୍ଟି ସୁଟ୍ ଆଉଟକୁ ଜିନ୍ ଝୁଆଙ୍ଗ ତାଙ୍ଗ ଗୋଲ୍ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। କିନ୍ତୁ ୪୧ତମ ମିନିଟ୍ରେ କନିକା ସିୱାଚଙ୍କ ଗୋଲ୍ରେ ଭାରତ ସମକକ୍ଷ ହୋଇଥିଲା।
ଚତୁର୍ଥ କ୍ବାର୍ଟର ମଧ୍ୟ ବିନା ଗୋଲ୍ରେ ସରିବାରୁ ଫଳାଫଳ ଲାଗି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଭାରତ ଆଗରେ ରହି ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ସୁଟ୍ଆଉଟ୍ରେ ଭାରତର ସାକ୍ଷୀ ରାଣା, ଈଶିକା ଓ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଗୋଲ୍ କରିବାରେ ସଫଳ ହୋଇଥିଲେ। ନିର୍ଣ୍ଣାୟକ ଗୋଲ୍ ଦେଇଥିବାରୁ ସୁନେଲିତା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦଳର ସଫଳତା ପାଇଁ ହକି ଇଣ୍ଡିଆ ପ୍ରତି ଖେଳାଳିଙ୍କୁ ୨ଲକ୍ଷ ଏବଂ ଅଫିସିଆଲ୍ଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି।