ଦେଶଛାଡି ପଳାୟନ କରିବା ପରେ ପ୍ରଥମଥର ଲାଗି ପ୍ରତିକ୍ରିୟା ରଖିଛନ୍ତି ସିରିଆ ରାଷ୍ଟ୍ରପତି ବସର ଅଲ୍ ଆସାଦ। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କିମ୍ବା ସିରିଆ ଛାଡି ପଳାୟନ କରିବା ଅଥବା ରାଜନୈତିକ ଆଶ୍ରୟ ନେବା ସମ୍ବନ୍ଧରେ ସେ କେବେଳ ମଧ୍ୟ ଚିନ୍ତା କରି ନଥିଲେ ବୋଲି ଆସାଦ ଦର୍ଶାଇଛନ୍ତି। ପଳାୟନ ପଛର ସତ ଉଲ୍ଲେଖ କରି ସେ କହିଛନ୍ତି ରାଜଧାନୀ ଡାମାସ୍କସ ଉପରେ ଡ୍ରୋନ ହମଲା କାରଣରୁ ମସ୍କୋ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଯୁଦ୍ଧର ଅନ୍ତିମ ମୋଡରେ ପଳାୟନ କରିବା ନେଇ ପୂର୍ବ ଯୋଜନା କରିଥିବା ଅଭିଯୋଗକୁ ଆସାଦ ଖଣ୍ଡନ କରି କହିଛନ୍ତି ଡିସେମ୍ବର ୮ ସକାଳ ପର୍ଯନ୍ତ୍ୟ ଡାମାସକସରେ ସେ ରାଷ୍ଟ୍ରପତି ଦାୟିତ୍ବ ନିର୍ବାହ କରିଥିଲେ। ବିଦ୍ରୋହୀ ସୈନ୍ୟ ଡାମାସ୍କସରେ ଅନୁପ୍ରବେଶ କରିବା ପରେ ସେ ରୁଷୀୟ ସହଯୋଗୀଙ୍କ ସହାୟତାରେ ଲିଟ୍ଟାକିଆ ଚାଲିଯାଇଥିଲେ। ହମୈମିମରେ ପହଞ୍ଚିବା ପରେ ତାଙ୍କର ଶେଷ ସୈନ୍ୟ ଶିବିର ଧ୍ବଂସ ହୋଇଥିବା ସେ ଜାଣିବାକୁ ପାଇଥିଲେ। ସେ କହିଛନ୍ତି ନିଜସ୍ବ ସ୍ବାର୍ଥ ପାଇଁ କେବେ ସେ କ୍ଷମତା ଚାହିଁ ନ ଥିଲେ। ବରଂ ନିଜକୁ ଦେଶର ରକ୍ଷକ ବିବେଚନା କରିଥିଲେ। କୌଣସି ଦେଶ ଆତଙ୍କବାଦୀଙ୍କ କବଜାରେ ପଡିଯିବା ପରେ ସେଠାରେ ପଦ କୟମ ରଖିବାର କୌଣସି ଅର୍ଥ ନ ଥାଏ ବୋଲି ସେ କହିଛନ୍ତି। ଏଥିସହ ସିରିଆ ପୁନଃ ସ୍ବାଧୀନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।