ଦେଶରେ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଏକକାଳୀନ କରାଇବା ନେଇ ଉଦ୍ଦିଷ୍ଟ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ମଙ୍ଗଳବାର ସଂସଦରେ ଆଗତ ହୋଇପାରେ। ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯାଇପାରେ। ବିଶେଷ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ଲୋକସଭାରେ ଆଗତ କରିପାରନ୍ତି। ଅଧିକ ମତାମତ ସଂଗ୍ରହ ନିମନ୍ତେ ବିଲଟିକୁ ଯୁଗ୍ନ ସଂସଦୀୟ କମିଟି ନିକଟକୁ ପଠାଇବା ଲାଗି ସେ ବିଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିବେ। ଉଲ୍ଲେଖ ଯେ ସଂସଦରେ ବିଭିନ୍ନ ଦଳର ସିଟ୍ ସଂଖ୍ୟା ଅନୁସାରେ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯିବ। ସବୁଠୁ ବଡ଼ ଦଳ ଭାବେ ବିଜେପି ଏହି କମିଟିର ଅଧ୍ୟକ୍ଷତା କରିବ। ବିଲ୍ ଉପସ୍ଥାପନ ବେଳେ ଲୋକ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିପାରନ୍ତି। ଉଲ୍ଲେଖ ଯେ ଦେଶରେ ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି ଦ୍ବାରା ପ୍ରସ୍ତୁତ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ୩୨ଟି ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ୧୫ଟି କରିନଥିବା କୋବିନ୍ଦ ପୂର୍ବରୁ କହିଥିଲେ।