ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୂସ୍ଖଳନ ବିପଦ ବଢିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ଏବଂ ଦ୍ରୁତ ଭିତ୍ତିଭୂମି ଅଭିବୃଦ୍ଧି କାରଣରୁ ଏଭଳି ବିପଦ ବାରମ୍ବାର ଘଟୁଥିବା ଜଣାଯାଇଛି । ଏ ସମ୍ପର୍କରେ କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ ଆଗକୁ ପ୍ରତିବର୍ଷ ବର୍ଷା ପରିମାଣ ବୃଦ୍ଧିପାଇବ । ତଦ୍ଦ୍ୱାରା ଭୂସ୍ଖଳନ ବିପଦ ମଧ୍ୟ ବଢିବ । ବିଶେଷକରି ଭାରତରେ ପାର୍ବତ୍ୟାଞ୍ଚଳରେ ଏଭଳି ବିପଦ ବୃଦ୍ଧିପାଇବ ବୋଲି ଏହି ଅଧ୍ୟୟନରେ କୁହାଯାଇଛି । ଅବିଚାରିତ ଭାବରେ କୋଠାବାଡି, ସଡ଼କ, ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସହିତ ଜଳବାୟୁ ପରିବର୍ତ୍ତନ ଏହାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ ନିକଟରେ କେରଳର ୱୟାନାଡରେ ଭୂସ୍ଖଳନ ଘଟି ୨୦୦ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା ଏବଂ ଦୁଇଟି ଗ୍ରାମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ଅଧ୍ୟୟନରେ ଦେଶର ବିଭିନ୍ନ ରାଜ୍ୟରେ ଭୂସ୍ଖଳନର ଶୈଳୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅନ୍ୟାନ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡିକ ସହିତ ବିଭିନ୍ନ ରାଜ୍ୟର ସେଭଳି ଅଞ୍ଚଳଗୁଡିକର ତୁଳନା ମଧ୍ୟ ଏଥିରେ କରାଯାଇଛି । ଭାରତୀୟ ଭୂଖଣ୍ଡର ପ୍ରାୟ ୩୦ ପ୍ରତିଶତ ଅଞ୍ଚଳରେ ପର୍ବତମାଳା ରହିଛି । ୨୨ଟି ରାଜ୍ୟ ଏବଂ ପୁଡୁଚେରୀର କିଛି ଅଂଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭୂସ୍ଖଳନ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଉଛି । ସବୁଠାରୁ ଅଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବରେ ପରିଚିତ ହେଉଛି ଅରୁଣାଚଳ ପ୍ରଦେଶ, ସିକିମ, କେରଳ, ମେଘାଳୟ, ମହାରାଷ୍ଟ୍ର, ମଣିପୁର, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶ ।
ଅଧ୍ୟୟନ ରିପୋର୍ଟରେ ଏହା ସୁନିଶ୍ଚିତ କରାଯାଇଛି ଯେ ବର୍ଦ୍ଧିତ ଭୂସ୍ଖଳନ ଘଟଣା ପଛରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ହୋଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷା ପରିମାଣ ବୃଦ୍ଧିପାଇବା, ବାଦଲ ଫଟା ବର୍ଷା ହେବା ଭଳି ଘଟଣା ଘଟୁଛି । ଏହା ଭୂସ୍ଖଳନ ଘଟାଉଛି । ତେବେ ରିପୋର୍ଟରେ ଆଉ ମଧ୍ୟ କୁହାଯାଇଛି ଯେ ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଏକମାତ୍ର କାରଣ ନୁହେଁ, ଦ୍ରୁତ ଭିତ୍ତିଭୂମି ଅଭିବୃଦ୍ଧି ମଧ୍ୟ ଏଥିପାଇଁ ଦାୟୀ । ବିଶେଷକରି ପାର୍ବତ୍ୟାଞ୍ଚଳରେ ସଡ଼କ ପଥ ସମ୍ପ୍ରସାରଣ, କୋଠାବାଡି ନିର୍ମାଣ, ସହରର ବିକାଶ, କଳ କାରଖାନା ସ୍ଥାପନ ଆଦି ଭୂସ୍ଖଳନ ବିପଦ ବଢାଉଛି । ୧୯୫୦ ପର ଠାରୁ ଭାରତରେ ସଡ଼କ ଦୈର୍ଘ୍ୟ ୩,୯୯,୯୪୨ ବର୍ଗ କିଲୋମିଟରରୁ ବୃଦ୍ଧିପାଇ ୨୦୨୧ରେ ୬୨,୯୫,୭୧୭ ବର୍ଗ କିଲୋମିଟରରେ ପହଞ୍ଚିଛି । ଏସବୁ ସହିତ ଜଙ୍ଗଲ କ୍ଷୟ, ପୋଡୁ ଚାଷ ଆଦି ମାନବକୃତ କାରଣ ମଧ୍ୟ ଏହି ସମସ୍ୟାକୁ ବହୁଗୁଣିତ କରୁଛି ।