ଇଭିଏମ୍କୁ ନେଇ ବିପକ୍ଷ ଭିତରେ ବଢୁଛି ଫାଟ। ଜାମ୍ମୁ କାଶ୍ମୀରର ନ୍ୟାସନାଲ କନଫରେନ୍ସ ପରେ ଏବେ ଏହି କ୍ରମରେ ସାମିଲ ହୋଇଛି ତୃଣମୂଳ କଂଗ୍ରେସ। ଇଭିଏମର ବିଶ୍ବାସନୀୟତାକୁ ନେଇ କଂଗ୍ରେସ ଉଠାଇଥିବା ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲାଙ୍କ ପରେ ଏବେ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ। ଅଭିଷେକ କହିଛନ୍ତି ଇଭିଏମ ଉପରେ ପ୍ରଶ୍ନ ଉଠାଉଥିବା ଲୋକେ ପ୍ରଥମେ ଦେଖାନ୍ତୁ ଯେ ଏଥିରେ କିଭଳି ଜାଲିଆତି କରି ହେବ। ଇଭିଏମକୁ ନେଇ ଯଦି କାହାର ପ୍ରଶ୍ନ ରହିଛି ସେମାନେ ନିର୍ବାଚନ କମିଶନଙ୍କ ନିକଟକୁ ଯାଇ ପ୍ରମାଣ ଉପସ୍ଥାପନ କରିବା ଉଚିତ।
ସମ୍ପ୍ରତି ଇଣ୍ଡି ମେଣ୍ଟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମନାନ୍ତର ଲାଗି ରହିଥିବା ବେଳେ ଅଭିଷେକଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ବ ରଖେ। ନିକଟରେ ଅଦାନୀ ଲାଞ୍ଚ କାରବାର ପ୍ରସଙ୍ଗରେ କଂଗ୍ରେସ ନେତୃତ୍ବରେ ସଂସଦରେ ହୋଇଥିବା ବିକ୍ଷୋଭରୁ ଟିଏମସି ଦୂରେଇ ରହିଥିଲା। ସେପଟେ ଇଣ୍ଡି ମେଣ୍ଟର ନେତୃତ୍ବ ନେଇପାରିବାର ଦାବି ଉଠାଇ ମମତା ବିପକ୍ଷ ଭିତରେ ବିବାଦକୁ ଘନୀଭୂତ କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଓମାର ମଧ୍ୟ କଂଗ୍ରେସ ବିପକ୍ଷରେ ମତ ଦେଇ କହିଛନ୍ତି ଯେତେବେଳେ ହାତ ଚିହ୍ନ ହାରୁଛି କେବେଳ ସେତିକି ବେଳେ ଇଭିଏମରେ ସମସ୍ୟା ରହିଛି ବୋଲି କହିହେବ ନାହିଁ। କଂଗ୍ରେସ ନେତୃତ୍ବାଧୀନ ବିପକ୍ଷ ଏହି ଇଭିଏମ ଦ୍ବାରା ହିଁ ସଂସଦରେ ପୁନଃ ୧୦୦ରୁ ଅଧିକ ଆସନ ପାଇଛି। ଏହାର ଜବାବରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେବଳ କଂଗ୍ରେସ ନୁହେଁ ବରଂ ଏସପି, ଏନସିପି(ଏସପି), ଶିବସେନା (ୟୁବିଟି) ଭଳି ଦଳଗୁଡିକ ମଧ୍ୟ ଇଭିଏମର ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ବିପକ୍ଷରେ ଏଭଳି ଟଣାଓଟରାର ଫାଇଦା ଉଠାଇ ବିଜେପି କଂଗ୍ରେସକୁ କଡ଼ା ଜବାବ ଦେଇଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ କହିଛନ୍ତି ବିପକ୍ଷ ମେଣ୍ଟର ସହଯୋଗୀଙ୍କ ଏଭଳି ମନ୍ତବ୍ୟ ପ୍ରମାଣ କରୁଛି ଯେ ମେଣ୍ଟ ଭିତରେ କଂଗ୍ରେସ ସମ୍ପୂର୍ଣ୍ଣ କୋଣଠେସା ହୋଇସାରିଛି।