ଡିସେମ୍ବର ୧୬ରେ ସାରା ଦେଶ ବିଜୟ ଦିବସ ପାଳନ କରୁଥିବା ବେଳେ କଂଗ୍ରେସ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ଇତିହାସକୁ ଲୁଚେଇବାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି। ୧୯୭୧ ଡିସେମ୍ବର ୧୬ରେ ବଂଲାଦେଶ ଯୁଦ୍ଧରେ ପାକିସ୍ତାନ ଭାରତ ନିକଟରେ ଆତ୍ମସମର୍ପଣ କରିବାର ଏକ ଫଟୋ ସେନା ମୁଖ୍ୟାଳୟର ଲାଉଞ୍ଜରେ ଲଗାଯାଇଥିଲା। ଯାହାକି ଭାରତୀୟ ସେନା ଓ ଭାରତର ଗୌରବର ପ୍ରତୀକ ଥିଲା। ବିଜୟ ଦିବସ ପୂର୍ବରୁ ଫଟୋଟିକୁ ସେହିସ୍ଥାନରୁ କଢାଯାଇ ସେଠାରେ ମହାଭାରତ ଦ୍ବାରା ଅନୁପ୍ରାଣିତ ‘କର୍ମ କ୍ଷେତ୍ର’ ନାମକ ଏକ କଳାକୃତି ଲାଗାଯାଇଛି। ପ୍ୟାଙ୍ଗୋଙ୍ଗ ସୋ ଅନ୍ତର୍ଗତ ପୂର୍ବ ଲଦାଖର ବରଫାବୃତ୍ତ ପାହାଡ ଉପରେ କୃଷ୍ଣଙ୍କ ରଥ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଏଥିରେ ଦର୍ଶାଯାଇଛି। ଏ ସମ୍ବନ୍ଧରେ ଲୋକସଭାରେ ଦୃଷ୍ଟି ଆକର୍ଷଣ କରିବା ସହିତ ଏହା ଉପରେ ଆଲୋଚନା ଲାଗି କଂଗ୍ରେସ ସାଂସଦ ମଣିକମ୍ ଟାଗୋର ଏକ ମୁଲତବି ପ୍ରସ୍ତାବ ଆଗତ କରିଥିଲେ। ଏହା ୧୯୭୧ ଯୁଦ୍ଧର ଐତିହାସିକ ସ୍ମୃତି ଉପରେ ସିଧାସଳଖ ପ୍ରହାର ବୋଲି ସେ ଦର୍ଶାଇଥିଲେ। ଅନ୍ୟପଟେ ଫଟୋଟିକୁ ତୁରନ୍ତ ଯଥାସ୍ଥାନକୁ ଫେରାଇ ଆଣିବାକୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଦାବି କରିଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ନୂଆ ଇତିହାସ ଲେଖିବାକୁ ଉଦ୍ୟମ କରିଛି ବୋଲି ସେ ଦୃଢ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯେ ପୂର୍ବରୁ ସେନାର ପୂର୍ବତନ ଅଧିକାରୀମାନେ ମଧ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ସମାଲୋଚନା କାରିଥିଲେ। ଏହା ଦ୍ବାରା ଯୁଦ୍ଧରେ ଜୀବନ ଦେଇଥିବା ଯବାନଙ୍କ ବଳିଦାନକୁ ଅସମ୍ମାନ କରାଯାଇଥିବା ସେମାନେ କହିଥିଲେ। ତେବେ ଏହା ଉପରେ ସ୍ପଷ୍ଟୀକାରଣ ରଖି ସେନା ପକ୍ଷରୁ କୁହାଯାଇଛି ଯେ ୭୧ ଯୁଦ୍ଧର ଫଟୋକୁ ଫିଲ୍ଡ ମାର୍ଶଲ ସାମ ମାନେକସାଙ୍କ ନାମରେ ନାମିତ ମାନେକଶାସା ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ଯାହାକି ୧୯୭୧ ଯୁଦ୍ଧର ଏକ ସ୍ଥାପତ୍ୟ। ଦେଶବିଦେଶର ଅଧିକରୁ ଅଧିକ ଲୋକଙ୍କୁ ଦର୍ଶକଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ସେନା ପକ୍ଷରୁ ଦର୍ଶାଯାଇଛି।