ମହିଳା, ଶିଶୁ ଓ ଲିଙ୍ଗ ପରିବର୍ତ୍ତନକାରୀଙ୍କ ସୁରକ୍ଷା ପାଇଁ ସର୍ବଭାରତୀୟ ସ୍ତରରେ ଗାଇଡଲାଇନ ଆଣିବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ପ୍ରତିକ୍ରିୟା ଲୋଡିଛନ୍ତି। କୋଲକାତା ଆରଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଭଳି ଦେଶରେ ଘଟୁଥିବା ବହୁ ଘଟଣାକୁ ଦୃଷ୍ଟିରେ ରଖି ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଜଷ୍ଟିସ ସୂର୍ଯ୍ୟ କୁମାର ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଓ୍ବନୀ ଆବେଦନକାରୀଙ୍କ ପକ୍ଷରୁ ରଖି କହିଥିଲେ ଯେ ଦେଶରେ ଆଜିବି ଏଭଳି ଅନେକ ଭୟଙ୍କର ଘଟଣା ଘଟୁଥିବା ବେଳେ ସେଗୁଡିକ ମଧ୍ୟ ଅନେକ ସମ୍ବନ୍ଧରେ ଥାନାରେ କୌଣସି ଅଭିଯୋଗ ରୁଜୁ କରାଯାଉ ନାହିଁ। ଏମିତିକି ଆରଜି କର ଘଟଣା ପରେପରେ ୯୫ଟି ସେହିଭଳି ଘଟଣା ଘଟିଥିଲେ ମଧ୍ୟ ସେସବୁ ଉପରେ ଏଭଳି ଚର୍ଚ୍ଚା ହୋଇନାହିଁ। ଦେଶରେ ବର୍ଦ୍ଧିତ ଯୌନ ହିଂସା ଘଟଣାକୁ ଦୃଷ୍ଟିରେ ରଖି ରାସାୟନିକ ପ୍ରକ୍ରିୟାରେ ଦୋଷୀଙ୍କ ବନ୍ଧ୍ୟାକରଣ କରାଯିବା ଲାଗି ସେ ଏକ ବିବାଦୀୟ ଦାବି ମଧ୍ୟ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରିଥିଲେ। ମାତ୍ର ତାହା ଅତ୍ୟନ୍ତ ବର୍ବରତା ପୂର୍ଣ୍ଣ ହେବ ବୋଲି ଦର୍ଶାଇ ଖଣ୍ଡପୀଠ ଉକ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଜାନୁଆରୀରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ।