ପଳାୟନର ଯଥେଷ୍ଟ ପୂର୍ବରୁ ନିଜ ଦେଶକୁ ଲୁଟି ନେଇଛନ୍ତି ସିରିଆର କ୍ଷମତାଚ୍ୟୁତ ରାଷ୍ଟ୍ରପତି ବଶାର ଅଲ ଆସାଦ। ସିରିଆରୁ ମସ୍କୋକୁ ଏୟାର ଲିଫ୍ଟ କରିଛନ୍ତି ପାଖାପାଖି ୨୫୦ ନିୟୁତ ଡଲାର ଅର୍ଥରାଶି। ଫାଇନାନ୍ସିଆଲ ଟାଇମ୍ସ ପକ୍ଷରୁ ଏହି ସାଙ୍ଘାତିକ ଖୁଲାସା କରାଯାଇଛି । ରିପୋର୍ଟ ଅନୁସାରେ ୨୦୧୮ ଏବଂ ୨୦୧୯ ଦୁଇ ବର୍ଷ ଭିତରେ ଏହି ଅର୍ଥରାଶିର କାରବାର କରାଯାଇଥିଲା। ଯେଉଁଥିରେ ପାଖାପାଖି ୨ ଟନ୍ ଓଜନର ୧୦୦ ଡଲାରର ବିଲ୍ ଏବଂ ୫୦୦ ୟୁରୋ ନୋଟ୍ ରହିଛି। ବ୍ୟାଙ୍କରୁ କଢାଯାଇଥିବା ଏହି ନୋଟ୍ଗୁଡିକୁ ମସ୍କୋର ବନୁକୋଭୋ ଏୟାରପୋର୍ଟ ଜରିଆରେ ରୁଷ ନିଆଯାଇ ସେଠାକାର ବ୍ୟାଙ୍କରେ ଡିପୋଜିଟ କରାଯାଇଥିଲା। ଏପରିକି ଆସାଦଙ୍କ ସମ୍ପର୍କୀୟମାନେ ଏହି ସମୟ ମଧ୍ୟରେ ରୁଷରେ ଗୁପ୍ତ ଭାବେ କିଛି ସମ୍ପତ୍ତି କ୍ରୟ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଆର୍ଥିକ କଟକଣାକୁ ଏଡାଇବା ଲାଗି ଆସାଦ ଯେ କିଭଳି ବ୍ୟବସ୍ଥା କରିଥିଲେ ତାହା ଏହି ଆର୍ଥିକ କାରବାରରୁ ବେଶ ପ୍ରତୀତ ହେଉଛି।
ଉଲ୍ଲେଖ ଯେ ହାୟାତ ତେହରିରି ଅଲ- ଶାମ ବା ଏଚଟିଏସର ୧୩ ଦିନର ବିଦ୍ରୋହ ପରେ ଡିସେମ୍ବର ୮ରେ ଆସାଦ ସିରିଆ ଛାଡି ରୁଷରେ ରାଜନୈତିକ ଶରଣ ନେଇଛନ୍ତି। କିନ୍ତୁ ଏହି ଗୃହଯୁଦ୍ଧର ମଞ୍ଜି ୨୦୧୧ରୁ ପଡିଥିଲା। ଦୀର୍ଘ ୧୩ ବର୍ଷର ଗୃହ ଯୁଦ୍ଧରେ ସିରିଆରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଗୃହଯୁଦ୍ଧ ଦମନ ପାଇଁ ଆସାଦ ସିରିଆକୁ ଲୁଟିବା ସହିତ ଦେଶରେ ବ୍ୟାପକ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିବା ନେଇ ତାଙ୍କୁ ବିରୋଧୀମାନେ ସମାଲୋଚନା କରିଥିଲେ। ଗୃହଯୁଦ୍ଧର ପରିଣତିକୁ ଦୃଷ୍ଟିରେ ରଖି ଆସାଦ ବହୁ ପୂର୍ବରୁ ଭବିଷ୍ୟତ ସୁରକ୍ଷିତ କରିବାକୁ ଦେଶ ବାହାରକୁ ଟଙ୍କା ସ୍ଥାନାନ୍ତର କରିଥିଲେ। ଯାହାକି ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ପୂର୍ବାଞ୍ଚଳ ସମ୍ବନ୍ଧୀୟ ଆମେରିକାର ପୂର୍ବତନ ସହକାରୀ ସଚିବ ଡାଭିଡ ସେନଙ୍କର କହିଛନ୍ତି। ସିରିଆର ଆଇନ ଉନ୍ନୟନ କାର୍ଯ୍ୟକ୍ରମର ବରିଷ୍ଠ ଗବେଷକ ଇୟାଦ ହମିଦ କହିଛନ୍ତି ରୁଷ ବର୍ଷବର୍ଷ ଧରି ଆସାଦଙ୍କ ପାଇଁ ଏକ ସୁରକ୍ଷିତ ସ୍ବର୍ଗ ପାଲଟିଛି। ଏମିତିକି ରୁଷ ମଧ୍ୟ ଆସାଦ ସରକାରକୁ ବର୍ଷବର୍ଷ ଧରି ସମର୍ଥନ ଯୋଗାଇ ଆସିଛି। ତେବେ ରୁଷୀୟ କମ୍ପାନୀ ଗୁଡିକ ସିରିଆରେ ଫସଫେଟ ଯୋଗାଣ ଶୃଙ୍ଖଳରେ ସମ୍ପୃକ୍ତ ହେବା ପରେ ଉଭୟ ଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା। ଏହି କାରଣରୁ ୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ଭିତରେ ଦୁଇ ଦେଶ ମଧ୍ୟରେ ଟଙ୍କା ବାରବାର ବୃଦ୍ଧି ପାଇଥିଲା। କିନ୍ତୁ ରୁଷୀୟ ବ୍ୟାଙ୍କ ଗୁଡିକ ଏହି ୨ ବର୍ଷ ଭିତରେ ୨୫୦ ମିଲିୟନ ଡଲାରର ନୋଟ୍ ଗ୍ରହଣ କରିଥିବା ନେଇ କୌଣସି ସୂଚନା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଆସାଦ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ମାନେ ଯୁଦ୍ଧ ଜର୍ଜରିତ ସିରିଆର ଅର୍ଥନୀତି ଉପରେ ବ୍ୟକ୍ତିଗତ ନିୟନ୍ତ୍ରଣ ହାସଲ କରିବାରୁ ଏଭଳି ଘଟିଛି। ଏମିତିକି ସେମାନେ ବ୍ୟାପକ ଅର୍ଥ ହାସଲ କରିବା ଲାଗି ନିଶାଦ୍ରବ୍ୟ ଚାଲାଣ ଓ ଇନ୍ଧନ ସ୍ମଗଲିଂ ଭଳି ବେଆଇନ କାର୍ଯ୍ୟକୁ ମଧ୍ୟ ପ୍ରଶ୍ରୟ ଦେଇଥିଲେ ବୋଲି ଆମେରିକୀୟ ଅଧିକାରୀମାନେ କହିଥିବା ରିପୋର୍ଟରେ ଦର୍ଶାଯାଇଛି।