ତବଲା ବିଶାରଦ ଜାକିର ହୁସେନଙ୍କର ସୋମବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ସାନ୍ ଫ୍ରାନସିସକୋର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବହୁ କେନ୍ଦ୍ରମନ୍ତ୍ରୀ, ରାଜନେତା ଓ ଚଳଚ୍ଚିତ୍ର ତଥା ସଂଗୀତ ଜଗତ ସହିତ ଜଡିତ ବହୁ ବ୍ୟକ୍ତିବିଶେଷ ଏବଂ ବିଶ୍ୱବ୍ୟାପୀ ତାଙ୍କର ରହିଥିବା ପ୍ରଶଂସକ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାକିର ହୁସେନ ଗତ ଦୁଇସପ୍ତାହ ତଳେ ଉକ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କ ବିୟୋଗ ସହିତ ବିଶ୍ୱ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି । ସଂଗୀତ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଏକ ପରିବାରରେ ଜନ୍ମିତ ଜାକିର ହୁସେନ କିମ୍ବଦନ୍ତୀ ତବଲା ବାଦକ ଉସ୍ତାଦ ଆଲ୍ଲା ରଖାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ । ମାତ୍ର ୧୨ ବର୍ଷ ବୟସରେ ଜାକିର ତବଲା ବାଦନ ଆରମ୍ଭ କରିବା ସହିତ ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କ ସହିତ ତବଲା ସଂଗତ କରିଥିଲେ । ୧୮ ବର୍ଷ ବେଳକୁ ସେ ଆନ୍ତର୍ଜାତିକ ମଞ୍ଚରେ ତବଲା ବାଦନ ଆରମ୍ଭ କରିସାରିଥିଲେ । ସେ ବିଭିନ୍ନ ସଂଗୀତଜ୍ଞଙ୍କ ସହିତ ଏବଂ ଏକାକୀ ତବଲା ବାଦନ କରି ବିଶ୍ୱବ୍ୟାପୀ ସୁନାମ ଓ ପ୍ରତିଷ୍ଠା ଅର୍ଜନ କରିଥିଲେ । ତାଙ୍କର କୃତି କେବଳ ଶାସ୍ତ୍ରୀୟ ସଂଗୀତ ମଧ୍ୟରେ ସୀମିତ ନଥିଲା । ସେ ମଧ୍ୟ ସଂଗୀତ ଜଗତରେ ଜର୍ଜ ହାରିସନ, ହର୍ବି ହାନ୍କକ ଆଦିଙ୍କ ସହିତ ବିଭିନ୍ନ ପିଢିର ବିଶ୍ୱର ନାମୀ ସଂଗୀତଜ୍ଞଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ ।
ତାଙ୍କ ପିଢିର ଜଣେ ସର୍ବୋଚ୍ଚ ସ୍ତରର ତବଲା ବିଶାରଦ ଭାବରେ ବିବେଚିତ ହେଉଥିବା ଜାକିର ହୁସେନଙ୍କର ପତ୍ନୀ ଆଣ୍ଟୋନିଆ ମିନେକୋଲା ଏବଂ ଝିଅ ଅନିଶା କ୍ୟୁରେସୀ ଓ ଇସାବେଲା କ୍ୟୁରେସୀ ଅଛନ୍ତି । ୧୯୮୮ରେ ତାଜମହଲ ଚା’ ବ୍ରାଣ୍ଡ୍ର ଆମ୍ବାସାଡର ଭାବରେ ଏହି ତବଲା ବିଶାରଦ ଘରେ ଘରେ ପରିଚିତ ହୋଇଥିଲେ । ମୁମ୍ବାଇରେ ଜନ୍ମିତ ଜାକିର ହୁସେନଙ୍କ ବିୟୋଗରେ ବିଶ୍ୱର ସଂଗୀତ ଜଗତ ଏବଂ ଭାରତର ଶାସ୍ତ୍ରୀୟ ସଂଗୀତ ଜଗତ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ଶୋକବାର୍ତ୍ତାରେ କହିଛନ୍ତି । ତବଲ ଉପରେ ତାଙ୍କର ବିଜୁଳି ବେଗରେ ଅଙ୍ଗୁଳି ଚାଳନା ସଂଗୀତକୁ ବୁଝୁନଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଚମତ୍କୃତ କରିଦେଉଥିଲା ଏବଂ ଜାକିର ତବଲାକୁ ଏକ ନୂଆ ପରିଚୟ ଦେଇଥିଲେ ବୋଲି ସେମାନେ କହିଛନ୍ତି ।