ଭୁବନେଶ୍ୱର : ସାରା ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ହାଡ଼ଭଙ୍ଗା ଜାଡ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସହ୍ୟ ହେଉଛନ୍ତି ଲୋକେ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ। ସୋମବାର ସର୍ବାଧିକ ତାପମାତ୍ରା ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୫.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କନ୍ଧମାଳ ଓ କୋରାପୁଟରେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କଳାହାଣ୍ଡି ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ,ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି। ସେହିପରି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ଉପର ବାରାକାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀକୁ ଖସିଛି ପାରଦ ।
ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।