ବାରିପଦା : ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜିନ୍ନତ’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଏବେ ବାଘୁଣୀ ‘ଯମୁନା’ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି।
ସୂଚନା ଅନୁଯାୟୀ, ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି। ବିଭାଗୀୟ କର୍ମଚାରୀମାନେ ଜିନ୍ନତ ଓ ଯମୁନାର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ବାଘୁଣୀ ଯମୁନାର ସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯିବ ନାହିଁ। ସେ ଜଙ୍ଗଲରେ ରହିଛି। ଜିନ୍ନତ ଓ ଯମୁନାଙ୍କୁ ଟ୍ରାକିଂରେ ରଖାଯାଇଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।