ପୁରୀ : ମଙ୍ଗଳବାର ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ତାର ମରାମତି କାର୍ଯ୍ୟ । ୩ ମାସ ମଧ୍ୟରେ ରତ୍ନଭଣ୍ତାର ମରାମତି କାମସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏଏସଆଇ ଟିମ ରତ୍ନ ଭଣ୍ଡାର ମରାମତି କରିବ। ଏଥିରେ ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକଙ୍କ ସହ ଅନାନ୍ୟ କର୍ମଚାରୀମାନେ ରହିବେ । ପ୍ରଥମ ଦିନ ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ । ଭାରାରେ ଚଢ଼ି ଏଏସ୍ଆଇ ଅଧିକାରୀମାନେ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଛାତ, କାନ୍ଥ ଓ ଚଟାଣରୁ ପ୍ଲାଷ୍ଟର ଛଡ଼ାଯିବ । ପଥରର ସଂଯୋଗ ସ୍ଥଳଗୁଡ଼ିକର ସ୍ଥିତି ଦେଖି ଆବଶ୍ୟକ ମରାମତି ଏବଂ ସଂରକ୍ଷଣ କରାଯିବ । ୧୫ ଜଣ କର୍ମଚାରୀ ପ୍ରଥମ ଦିନରେ ନିୟୋଜିତ ରହିବେ। ପରେ ଆବଶ୍ୟକ ଅନୁସାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାମରେ ନିୟୋଜିତ ହେବେ।ମରାମତି ସମୟରେ ଯେଭଳି ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନହେବ ସେନେଇ ଲକ୍ଷ୍ୟ ରଖାଯାଇଛି । ମରାମତି ସମୟରେ ସାଧାରଣ ଭକ୍ତ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ l