ପୁରୀ : ବୁଧବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ସନ୍ଧ୍ୟା ୬ଟା ପରେ ପୁଣି ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ । ପବିତ୍ର ଧନୁ ସଂକ୍ରାନ୍ତ ଅବସରରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇ ମକର ସଂକ୍ରାନ୍ତି ଅର୍ଥାତ୍ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ନୀତି ଚାଲିବ। ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ହେଁ ପହିଲି ଭୋଗ ମାସରେ ଦର୍ଶନାର୍ଥୀଙ୍କ ଅତ୍ୟଧିକ ଭିଡ଼ ରହିବା ସହିତ ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଡ କରାଯିବାକୁ ଏନେଇ ୧୦ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତି ହୋଇଥିଲା ।