ବାରାଣସୀ: ବାରାଣସୀର ମୁସଲିମ ବହୁଳ ଅଞ୍ଚଳ ମଦନପୁରାରେ ଗତ ୧୬ରେ ପ୍ରାୟ ୨୫୦ ବର୍ଷ ପୁରାତନ ‘ଶିବମନ୍ଦିର’ ଠାବ କରାଯାଇଥିଲା। ସିଦ୍ଧେଶ୍ୱର ମନ୍ଦିର ନାମରେ ପରିଚିତ ଏହି ମନ୍ଦିରରେ ପ୍ରାୟ ୭୦ ବର୍ଷ ପୂର୍ବରୁ ପୂଜାର୍ଚ୍ଚନା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଏହି ମନ୍ଦିରର ଅଧିକାଂଶ ଜମି ଜବର ଦଖଲ ହୋଇ ବାସଗୃହ ନିର୍ମାଣ ହୋଇଥିବା ବେଳେ ଏହାକୁ ପୁନରୁଦ୍ଧାର କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ହୋଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୧୬ (ସୋମବାର)ରେ ଏହି ବହୁ ପୁରାତନ ସିଦ୍ଧେଶ୍ୱର ମହାଦେବ ମନ୍ଦିରର କିଛି ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ସନାତନ ରକ୍ଷା ଦଳ ଓ ଅନ୍ୟ କେତେକ ହିନ୍ଦୁ ସଂଗଠନର ସଦସ୍ୟ ଉକ୍ତ ବନ୍ଦ ମନ୍ଦିର ନିକଟରେ ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ।
ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦଶାଶ୍ୱମେଧ ପୁଲିସ ଥାନାର ଅଧିକାରୀ କହିଛନ୍ତି, ପ୍ରାଥମିକ ସର୍ଭେରେ ଉକ୍ତ ମନ୍ଦିରଟି ବ୍ୟବସାୟୀ ପ୍ରମୋଦ କୁମାର ପଣ୍ଡେଙ୍କ ଘର ପାର୍ଶ୍ବରେ ରହିଛି। ମନ୍ଦିରଟିର ବିଶେଷ କ୍ଷତି ହୋଇନାହିଁ। ଅପରପକ୍ଷରେ ଏହି ମନ୍ଦିରକୁ ନେଇ ବାରାଣସୀ ଡିସିପି ଗୌରବ ବଂଶୱାଲ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନକୁ ଉକ୍ତ ମନ୍ଦିର ସମ୍ପର୍କରେ ଅବଗତ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ରାଜସ୍ବ ରେକର୍ଡର ଯାଞ୍ଚ ଚାଲିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଆଇନଗତ ପ୍ରକ୍ରିୟା ପୂରଣ କରାଯିବ।