ନୂଆଦିଲ୍ଲୀ : ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଉନ୍ନତି ଘଟିଛି। ତାଙ୍କୁ ଖୁବ୍ ଶୀଘ୍ର ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯିବା ନେଇ ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ ,ଡିସେମ୍ବର ୧୨ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ସେ ପୁରସ୍କାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନ ଆସିପାରିନଥିଲେ । ତାଙ୍କୁ ନିଜ ଆବାସରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେ ଅଟଳ ବାଜପେୟୀଙ୍କ ସରକାରରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୫ ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ବେଳେ ଚଳିତବର୍ଷ ତାଙ୍କୁ ଭାରତରତ୍ନରେ ମଧ୍ୟ ସମ୍ମାନିତ କରାଯାଇଛି ।