ଇନୋଙ୍ଗୋ: ପୁଣି ମଝି ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ୨୫ ଜଣଙ୍କ ପ୍ରାଣହାନୀ ଘଟିଛି । ଆଫ୍ରିକାର କଙ୍ଗୋରେ ଘଟିଥିବା ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, କିନ୍ସାସାର ରାଜଧାନୀ ଉତ୍ତର-ପୂର୍ବରେ ଥିବା ଇନୋଙ୍ଗୋ ସହରରୁ ବାହାରିବା ପରେ ୧୦୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଚଢ଼ିଥିଲେ । ମଧ୍ୟ କଙ୍ଗୋରେ ଅବସ୍ଥିତ ଫିମି ନଦୀରେ ଏହି ଯାତ୍ରୀବାହୀ ଡଙ୍ଗା ଓଲଟିଥିଲା । ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକାରୀଙ୍କ କହିବା ମୁତାବକ ମାତ୍ରାଧିକ ଯାତ୍ରୀ ଯୋଗୁ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାରେ ଯାତ୍ରୀଙ୍କ ସମେତ ବହୁ ଜିନିଷ ପତ୍ର ମଧ୍ୟ ଲଦା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ମାନଙ୍କୁ ଖୋଜା ଚାଲିଛି ।
ପ୍ରକାଶଥାଉ କି, କଙ୍ଗୋର ମାଇ-ଏନ୍ଡୋମ୍ବେ ଅଞ୍ଚଳ ଚାରିପଟେ ନଦୀ ଘେରି ରହିଥିବା ବେଳେ ସେଠାକାର ଅଧିବାସୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ଡଙ୍ଗାରେ ଓଭରଲୋଡିଂକୁ ନେଇ ବାରମ୍ବାର କଙ୍ଗୋ କର୍ତ୍ତୃପକ୍ଷ ଚେତାବନୀ ଦେଇଥିବା ସତ୍ତ୍ୱେ ଲୋକମାନେ ଏହାକୁ ନ ମାନି ବିପଦସଙ୍କୁଳ ଭାବେ ଯାତ୍ରା କରନ୍ତି ।