ନୂଆଦିଲ୍ଲୀ: ଓଡିଆ ପୁଅ ହେଲେ ବୁଲଗେରିଆ ରାଷ୍ଟ୍ରଦୂତ। ୧୯୯୬ ବ୍ୟାଚର କ୍ୟାଡର ଆଇଏଫଏସ ଅଧିକାରୀ ଅରୁଣ କୁମାର ସାହୁଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏବେ ସେ
ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ପୂର୍ବରୁ କେନ୍ଦ୍ର-ୟୁରୋପିୟ ଯୁଗ୍ମ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କାନାଡାର ଉପ ଉଚ୍ଚାୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରିବାରେ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅରୁଣ ପୂର୍ବରୁ ବେଜିଂ, ଲଣ୍ଡନ, ତେହେରାନରେ ଥିବା ଭାରତୀୟ ଦୂତାବାସରେ ଦାୟିତ୍ୱ ନିର୍ବାହ କରିବା ସହିତ ତ୍ରିନିଦାଦ-ଟବାଗୋରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ପ୍ରକାଶଥାଉ କି, ଦେବଗଡ଼ ଜିଲ୍ଲାରୁ ପ୍ରଥମ ବୈଦେଶିକ ସେବା ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ସାହୁ, କବି ବନମାଳୀ ସାହୁ ଏବଂ ସରୋଜିନୀ ସାହୁଙ୍କ ପୁତ୍ର ଅଟନ୍ତି। ଅରୁଣ ଜଣେ କୁଟନୀତିଜ୍ଞ ହେବା ସହ ଓଡିଆ ଏବଂ ଇଂରାଜୀରେ କବିତା, ଗଳ୍ପ ମଧ୍ୟ ଲେଖନ୍ତି। ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ ‘ଆକାଶର ଲୁହ’, ‘ଚିରା ମଲାଟ’ ପାଇଁ ସେ ଖୁବ ପରିଚିତ।