ମସ୍କୋ: କର୍କଟ ରୋଗୀଙ୍କ ପାଇଁ ଆଶାର କିରଣ ସୃଷ୍ଟି କରିଛି ରୁଷିଆ । ଏମଆରଏନଏ ଟିକା ବିକଶିତ କରି ଏହାକୁ ୨୦୨୫ ପ୍ରାରମ୍ଭରେ ଲଞ୍ଚ କରିବା ନେଇ ଘୋଷଣା ହୋଇଛି । ଏହାସହିତ ଏହି ଟିକାକୁ ନିଜ ନାଗରିକମାନଙ୍କୁ ମାଗଣାରେ ଉପଲବ୍ଧ କରାଇବା ନେଇ ଘୋଷଣା କରିଛନ୍ତି ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ । ରୁଷିଆର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ଘୋଷଣା କରାଯାଇଛି।
ରୁଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ । ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କର୍କଟ ବ୍ୟାପିବା ରୋକିବା ଦିଗରେ ପ୍ରଭାବ ଦେଖାଇଛି ।
ପ୍ରକାଶଥାଉ କି, ବିଶ୍ୱର ଅନ୍ୟ ଦେଶ ଭିଳ ରୁଷରେ ମଧ୍ୟ କ୍ୟାନସର ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨୦୨୨ ମସିହାରେ ଏଠାରେ ୫,୩୫,୦୦୦ ରୁ ଅଧିକ କର୍କଟ ରୋଗୀଙ୍କ ମାମଲା ରେକର୍ଡ କରାଯାଇଥିଲା। ରୁଷରେ କୋଲନ୍, ସ୍ତନ ଏବଂ ଫୁସଫୁସ କର୍କଟରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ୨୦୨୪ ପ୍ରାରମ୍ଭରେ ଏନେଇ ଘୋଷଣା କରିଥିଲେ ଯେ ଦେଶ ଏକ ନୂତନ କର୍କଟ ଟିକା ଏବଂ ଇମ୍ୟୁନୋମୋଡୁଲେଟରୀ ଔଷଧର ବିକାଶର ଅତି ନିକଟରେ ପହଞ୍ଚିଛୁ ।