ଭଦ୍ରକ: ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଛି ଆନ୍ଦୋଳନ ଓ ପ୍ରତିବାଦ ସଭା l ରାଜନୈତିକ ଛକାପଞ୍ଝା ମଧ୍ୟରେ ସମ୍ବିଧାନ ସଂଶୋଧନ ଆଳରେ ସମାଜର ନିମ୍ନସ୍ତରର ଲୋକଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାରକୁ ଉଠେଇ ଦେବା ପାଇଁ ହୀନ ଚକ୍ରାନ୍ତ ବିରୋଧରେ ଏହି ପ୍ରତିବାଦ ସଭା କରାଯାଇଥିଲା l ଭଣ୍ଡାରିପୋଖରୀ ବ୍ଲକର ସରସଦା ଦଳିତ ସଙ୍ଘ ଏବଂ ଜିଲ୍ଲା ଦଳିତ ମହାସଂଘର ମିଳିତ ଆନୁକୂଲ୍ୟରେ ସରସଦା ଠାରେ ଏହା ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେବା ସହ ଦଳିତ ସମାଜର ଲୋକମାନେ ଏକ ହୋଇ ସଂଗଠିତ ଭାବେ ଅଧିକାର ପାଇଁ ଲଢେଇ କରିବାକୁ ପଡିବ ବୋଲି କହିଥିଲେ l ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜ ସେବୀ ଦିବାକର ଜେନା, ଅକ୍ଷୟ ଜେନା, ବ୍ଲକ ଅଧକ୍ଷା ସୁମତି ସେଠୀ, ସରପଞ୍ଚ ରମେଶ ଜେନା, ସମିତି ସଭ୍ୟା ସୁମତି ଜେନା, ବ୍ଲକ ଦଳିତ ସଙ୍ଘ ସଭାପତି ଉମାକାନ୍ତ ଜେନା, ସମ୍ପାଦକ ଉମାକାନ୍ତ ଜେନା, ଗଗନ ସେଠୀ, ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ l