ମିଚେଲ ସାଣ୍ଟନର ନ୍ୟୁଜିଲ୍ୟାଣ୍ଡ ଧଳା ବଲ୍ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ଗତ ଜୁନରେ ଆଇସିସି ଟି୨୦ ବିଶ୍ୱକପ୍ ପରେ କେନ୍ ୱିଲିୟମସନ୍ ଅଧିନାୟକ ପଦରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ସାଣ୍ଟନରଙ୍କୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ଅଧିନାୟକ ଭାବେ ନିଯୁକ୍ତ କରିଛି । ପ୍ରତିକ୍ରିୟାରେ ସାଣ୍ଟନର୍ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ବିରାଟ ସମ୍ମାନର ବିଷୟ । ପିଲାବେଳେ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳିବା ତାଙ୍କର ସ୍ୱପ୍ନ ଥିଲା । କିନ୍ତୁ ଦେଶକୁ ଦୁଇଟି କ୍ରିକେଟ ଫର୍ମାଟରେ ନେତୃତ୍ୱ ଦେବା ଏକ ସ୍ୱତନ୍ତ୍ର ବିଷୟ । ଏହି ଦାୟିତ୍ଵ ତାଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ଏବଂ ସେ ଏହି ଭୂମିକା ଗ୍ରହଣ କରିବା ପାଇଁ ଉତ୍ସାହିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ସାଣ୍ଟନର ଡିସେମ୍ବର ଶେଷ ଏବଂ ଜାନୁଆରୀ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଓ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ରୁ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କାର୍ଯ୍ୟକାଳ ଆରମ୍ଭ କରିବେ । ଏନେଇ ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟେଡ କହିଛନ୍ତି, ଏହି ଦାୟିତ୍ଵ ପାଇଁ ସାଣ୍ଟନର୍ ସମ୍ପୂର୍ଣ୍ଣ ଯୋଗ୍ୟ । ସେ ଅତ୍ୟନ୍ତ ଧୀର ସ୍ଥିର ଓ ଚେଞ୍ଜିଂ ରୁମରେ ସମସ୍ତଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, ଯାହା ତାଙ୍କୁ ବେଶ ସହାୟକ ହେବ । ଏହାସହିତ ଟି୨୦ରେ ନେତୃତ୍ୱ ନେବାରେ ପୂର୍ବରୁ ତାଙ୍କର ଅଭିଜ୍ଞତା ରହିଛି ।