ଭଦ୍ରକ : ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ୨୦ ବର୍ଷର ଦାବିକୁ ନେଇ ନୂତନ ସରକାର ନିକଟରେ ପୁଣି ଲଢ଼େଇ ଆରମ୍ଭ ହୋଇଛି l ପୂର୍ବ ସରକାରଙ୍କ ସମୟରେ ଭଦ୍ରକରେ ପ୍ରସ୍ତାବିତ ମେଡିକାଲ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ତାହା ନିକଟସ୍ଥ ଯାଜପୁର ଜିଲ୍ଲାରେ ହେଲା l ଭଦ୍ରକ ଜିଲ୍ଲାକୁ ଅବହେଳା କରାଯାଇଥିବାରୁ ଏବେ ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି l ସେଥିପାଇଁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ବୁଧବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଏଥି ସହିତ ଭଦ୍ରକ ରେଳ ବିଭାଗ ଅଧୀନରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ରେଳ ମେଲ ସର୍ଭିସ (ଆରଏମଏସ)କୁ ବାଲେଶ୍ଵର ସର୍କଲକୁ ଉଠାଇ ନେବା ତଥା କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନର୍ବିଚାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାବିପତ୍ର ଦିଆଯାଇଥିଲା l ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେବା ସମୟରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଂଗ୍ରାମ ଆଚାର୍ଯ୍ୟ,ଦୀନବନ୍ଧୁ ପତ୍ତି,ସୁଧାକର ରାଉତ,ବଦ୍ରୀ ଧଳ, ଶାନ୍ତନୁ ରାଉତ, ରାଧାରାଣୀ ମହାପାତ୍ର, ସତ୍ୟଭୂଷଣ ସ୍ୱାମୀ, ଶ୍ରୀହର୍ଷ ସ୍ୱାଇଁ, ଗୀତାରାଣୀ ଆଇଚ, ଅମ୍ବିକା ଦାସ,ଶରତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ l