ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ବାଣିଜ୍ୟ ଯୋଜନାକୁ ନେଇ ଭାରତକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଭାରତ ଓ ବ୍ରାଜିଲ ଭଳି ରାଷ୍ଟ୍ରମାନେ ଆମେରିକୀୟ ଉତ୍ପାଦଗୁଡିକ ଉପରେ ମାତ୍ରାଧିକ ଶୁଳ୍କ ନେଉଛନ୍ତି। ସେମାନଙ୍କର ଉତ୍ପାଦ ଉପରେ ଆମେରିକା ମଧ୍ୟ ଅନୁରୂପ ଶୁଳ୍କ ଲଗାଇବ । ଏହି ନୀତି ଅନୁସାରେ ଭାରତ ଯଦି ୧୦୦% ଶୁଳ୍କ ଲଗାଏ, ଆମେରିକା ମଧ୍ୟ ୧୦୦% ଶୁଳ୍କ ଲାଗୁ କରିବ ।
ଫ୍ଲୋରିଡାର ମାର୍-ଏ-ଲାଗୋ ଇଷ୍ଟେଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରି ଟ୍ରମ୍ପ ଏନେଇ ସୂଚନା ଦେଇଛନ୍ତି। ପ୍ରାୟ ସମସ୍ତ ଉତ୍ପାଦ ଉପରେ ଭାରତ ଓ ବ୍ରାଜିଲ ମାତ୍ରାଧିକ ଶୁଳ୍କ ଆଦାୟ କରୁଥିବା ବେଳେ ଆମେରିକା ଏପରଜ୍ଯନ୍ତ ସେମାନଙ୍କ ଉପରେ ଅନୁରୂପ ଶୁଳ୍କ ଆଦାୟ କରିନାହି। ଚୀନ ସହିତ ସମ୍ଭାବ୍ୟ ବାଣିଜ୍ୟ ରାଜିନାମା ସମ୍ପର୍କରେ ପ୍ରଶ୍ନ କରିବାରୁ ଟ୍ରମ୍ପ ନିର୍ଦ୍ଦିଷ୍ଟ ଭାବରେ ଭାରତ ଓ ବ୍ରାଜିଲ ନାମ ନେଇ ଏପରି କହିଥିଲେ । ଟ୍ରମ୍ପଙ୍କ ସମେତ ବାଣିଜ୍ୟ ସଚିବ ଭାବେ ମନୋନୀତ ହାୱାର୍ଡ ଲୁଟନିକ୍ ମଧ୍ୟ ସମାନ ମତ ପୋଷଣ କରି କହିଛନ୍ତି ଯେ ଆମେରିକାକୁ ଯେଉଁମାନେ ଯେଭଳି ବ୍ୟବହାର କରିବେ, ବାଣିଜ୍ୟ କ୍ଷେତ୍ରରେ ଆମେରିକା ଅନୁରୂପ ବ୍ୟବହାର ପ୍ରଦର୍ଶନ କରିବ ।
ଅପରପକ୍ଷରେ ବାଇଡେନ ପ୍ରଶାସନରେ ବୈଦେଶିକ ବିଭାଗର ଉପସଚିବ ଥିବା କୁର୍ଟ କ୍ୟାମ୍ପବେଲ କହିଛନ୍ତି, ଆମେ ଭାରତ-ଆମେରିକା ସମ୍ପର୍କକୁ ଏକ ମଜଭୁତ ସ୍ଥାନରେ ହସ୍ତାନ୍ତର କରି ଯାଉଛୁ ଯାହା ଟ୍ରମ୍ପଙ୍କ ଶାସନରେ ଜାରି ରହିବ ବୋଲି ଗଭୀର ବିଶ୍ୱାସ ରହିଛି । ନୂଆ ପ୍ରଶାସନ ଶିଳ୍ପ, ପ୍ରଯୁକ୍ତି, ଅର୍ଥ ଏବଂ ପ୍ରତିରକ୍ଷା ଆଦି ସମସ୍ତ କ୍ଷେତ୍ରରେ ଏହି ସମ୍ପର୍କ ବଜାୟ ରଖିବା ଆଶା କରାଯାଉଛି ।