ଏକ ରାଷ୍ଟ୍ର ଏକ ନିର୍ବାଚନ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି ବା ଜପେିସି ନିକଟକୁ ଅଧିକ ଅନୁଧ୍ୟାନ ନିମନ୍ତେ ପଠାଯିବ। ଏହି କମିଟିରେ କଂଗ୍ରେସର ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସ୍ଥାନ ମିଳିପାରେ। ମଙ୍ଗଳବାର ପାର୍ଲାମେଣ୍ଟରେ ଏହି ବିଲ୍ ଆଗତ ହେବା ପରେ ଏହାକୁ ଅଧିକ ଅନୁଧ୍ୟାନ ପାଇଁ ଜେପିସି ନିକଟକୁ ପଠାଇବାକୁ ସ୍ଥିର ହେବା ପରେ ଜେପିସି ଗଠନ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। କଂଗ୍ରେସ ପକ୍ଷରୁ ପ୍ରିୟଙ୍କାଙ୍କ ସମେତ ଅନ୍ୟ ୩ ଜଣ ସାଂସଦଙ୍କ ନାମ ଜେପିସିରେ ସାମିଲ ଲାଗି ପ୍ରସ୍ତାବ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମନିଷ ତିଓ୍ବାରୀ, ରଣଦୀପ ସିଂହ ସୂର୍ଯ୍ୟେଓ୍ବାଲ ଏବଂ ସୁଖଦେବ ଭଗତ ସିଂହ। ସେହିଭଳି ଟିଏମସି ପକ୍ଷରୁ ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ସାକେତ ଗୋଖଲେଙ୍କ ନାମ ସୁପାରିସ କରାଯାଇଛି। ସଂସଦରେ ଦଳୀୟ ଆସନ ସଂଖ୍ୟା ଭିତ୍ତିରେ ଜେପିସିରେ ବିଭିନ୍ନ ଦଳକୁ ସ୍ଥାନ ମିଳିବ। ବିଜେପି ସ ବୁଠାରୁ ବଡ଼ ଦଳ ଭାବେ ଜେପିସିରେ ଅଧିକ ସ୍ଥାନ ପାଇବ। ତେବେ ଜେପିସି ଏହି ବିଲ୍ ଉପରେ ବ୍ୟାପକ ଜନମତ ସଂଗ୍ରହ ପୂର୍ବକ ନିଷ୍ପତ୍ତି ନେବ।
ଦେଶରେ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଏକକାଳୀନ କରାଇବା ନେଇ ଉଦ୍ଦିଷ୍ଟ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଦୁଇଟି ସାମ୍ବିଧାନିକ ସଂଶୋଧନ ବିଧେୟକ ଯଥା ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ ୨୦୨୪ ଏବଂ କେନ୍ଦ୍ରଶାସିତ ଆଇନ (ସଂଶୋଧନ) ବିଧେୟକ ୨୦୨୪ ଆଗତ କରିବା ଲାଗି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ମାତ୍ର ବିପକ୍ଷର ଦାବି କ୍ରମେ ହୋଇଥିବା ଭୋଟିଂରେ ଏହି ବିଧେୟକ ସପକ୍ଷରେ ୨୬୯ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ୧୯୮ଟି ଭୋଟ ପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ଏହି ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ନିକଟକୁ ପଠାଯାଇଛି। ଜେପିସି ଏହା ଉପରେ ବ୍ୟାପକ ଆଲୋଚନା କରି ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଅନୁଷ୍ଠିତ ହେବ।