ଜାନୁଆରୀରୁ ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା ବା ୟୁସିସି। ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବୁଧବାର ରାଜ୍ୟ ସଚିବାଳୟ ଠାରେ ଉତ୍ତରାଖଣ୍ଡ ନିବେଶ ଓ ଭିତ୍ତିଭୂମି ବିକାଶ ବୋର୍ଡ ମିଟିଂରେ ଘୋଷଣା କରିଛନ୍ତି। ସେ କହିଛନ୍ତି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସ ବିଚାରଧାରାରେ ଅନୁପ୍ରାଣିତ ୟୁସିସି ସମାଜକୁ ଏକ ନୂତନ ଦିଗ ପ୍ରଦାନ କରିବ। ଜନସାଧାରଣ, ବିଶେଷକରି ମହିଳା ଓ ଶିଶୁଙ୍କୁ ସଶକ୍ତିକରଣ କରିବା ଦିଗରେ ଏହା ନୂତନ ଦ୍ବାର ଖୋଲିବ। ଏହାକୁ ଲାଗୁ କରିବା ନେଇ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ୨୦୨୨ ମାର୍ଚ୍ଚରେ ନୂଆ ସରକାର ଗଠନ ହେବା ପରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ୟୁସିସି ଲାଗୁ କରିବା ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଧାମୀ ପ୍ରକାଶ କରିଛନ୍ତି। ଏଥିକ୍ରମେ ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେସାଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ ଗତ ଫେବୃଆରୀ ୭ରେ ରାଜ୍ୟ ବିଧାନସଭାରେ ୟୁସିସି ବିଧେୟକ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳିବା ପରେ ଏ ନେଇ ଗତ ମାର୍ଚ୍ଚ ୧୨ରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏବେ ୟୁସିସି ଉତ୍ତରାଖଣ୍ଡ ୨୦୨୪ ଆଇନ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ୨୦୨୫ ଜାନୁଆରୀରୁ ୟୁସିସି ଲାଗୁ କରିବା ଲାଗି ଉତ୍ତରାଖଣ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ସ୍ବାଧୀନତା ପରେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ।