ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସମ୍ବନ୍ଧୀୟ ଏକ ବୟାନକୁ ନେଇ ହଙ୍ଗାମା କରୁଥିବା ବିପକ୍ଷକୁ ଦୃଢ ଜବାବ ଦେଇଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା । ଶାହା କହିଛନ୍ତି ସେ କେବେ ବି ଆମ୍ବେଦକରଙ୍କୁ ଅସମ୍ମାନ କରିପାରିବେ ନାହିଁ। କଂଗ୍ରେସ ତାଙ୍କ କଥାକୁ କଦାର୍ଥ କରିଛି। କଂଗ୍ରେସ ହିଁ ଆମ୍ବେଦକର ଓ ସମ୍ବିଧାନକୁ ବାରମ୍ବାର ଅସମ୍ମାନ କରିଛି ବୋଲି କହି ଶାହା ପାଲଟା ପ୍ରହାର କରିଛନ୍ତି। ମଙ୍ଗଳବାର ରାଜ୍ୟସଭାରେ ସ୍ବତନ୍ତ୍ର ସମ୍ବିଧାନ ଆଲୋଚନା ଶେଷରେ ନିଜ ବକ୍ତବ୍ୟ ରଖିବା ବେଳେ ଶାହା ଦେଇଥିବା ଏକ ମନ୍ତବ୍ୟକୁ ନେଇ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିଲା। ଟିଏମସି ଶାହାଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ ଅଣିଥିଲା। ସେପଟେ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦିନ ତମାମ ବିପକ୍ଷର ରାଜନୈତିକ ବୟାନବାଜି ପରେ ଶାହାଙ୍କ ସମର୍ଥନରେ ନିଜେ ସମ୍ମୁଖକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପକ୍ଷକୁ ଚେତାବନୀ ଦେଇଥିଲେ।
ଉଲ୍ଲେଖ ଯେ ମଙ୍ଗଳବାର ରାଜ୍ୟସଭାରେ ଶାହା କହିଥିଲେ, ଆମ୍ବେଦକରଙ୍କ ନାମ ଜପ କରିବାକୁ କଂଗ୍ରେସ ଏକ ଫ୍ୟାଶନ କରିସାରିଲାଣି। କଂଗ୍ରେସ ଯେତିକିଥର ଆମ୍ବେଦକରଙ୍କ ନାମ ନେଲାଣି ସେତିକିଥର ଭଗବାନଙ୍କ ନାମ ନେଇଥିଲେ ସେମାନଙ୍କୁ ସାତ ଜନ୍ମ ପାଇଁ ସ୍ବର୍ଗ ପ୍ରାପ୍ତି ହୋଇସାରନ୍ତାଣି। ଏଭଳି ମନ୍ତବ୍ୟ ଦ୍ବାରା ଶାହା ଆମ୍ବେଦକରଙ୍କୁ ଅସମ୍ମାନ କରିଛନ୍ତି ବୋଲି ଦର୍ଶାଇ ହଙ୍ଗାମା ଆରମ୍ଭ କରିଦେଇଥିଲା କଂଗ୍ରେସ। ଦଳର ସାଂସଦମାନେ ଆମ୍ବେଦକରଙ୍କ ଫଟୋ ଧରି ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ପ୍ରସଙ୍ଗରେ ଏକ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମଣିକମ୍ ଟାଗୋର ଏକ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶାହାଙ୍କୁ ସମର୍ଥନ କରି କହିଥିଲେ ଯେ କଂଗ୍ରେସ ଦୀର୍ଘ ସମୟ ଧରି ଆମ୍ବେଦକରଙ୍କୁ ଅସମ୍ମାନ କରିଆସିଛି। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଯେ ଆମ୍ବେଦକରଙ୍କୁ ଅସମ୍ମାନ କରିବା ନେଇ କଂଗ୍ରେସର ଲମ୍ବା ଇତିହାସ ରହିଛି। ଦଳ ଏସସି ଓ ଏସଟିଙ୍କୁ ଉପଯୁକ୍ତ ସ୍ଥାନ ପ୍ରଦାନରେ ବିଫଳ ହୋଇଛି। କଂଗ୍ରେସ ଦ୍ବାରା ଆମ୍ବେଦକରଙ୍କୁ ଅସମ୍ମାନ କରାଯିବାର ଉଦାହାରଣ ସମ୍ବଳିତ ଏକ ପୋଷ୍ଟ ମୋଦୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରାଯାଇଥିଲା। ଗୃହରେ ହଟଗୋଳ କାରଣରୁ ସଂସଦର ଉଭୟ ଗୃହକୁ ମୁଲତବୀ ରଖିବାକୁ ପଡିଥିଲା।
ଖଡଗେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ମୋଦୀ ଯଦି ବାସ୍ତବରେ ଆମ୍ବେଦକରଙ୍କୁ ସମ୍ମାନ କରୁଥାଆନ୍ତି ତେବେ ଶାହାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରନ୍ତୁ। ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବଠାକରେ ପ୍ରମୁଖ ମଧ୍ୟ ଶାହାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିପକ୍ଷର ତୀବ୍ର ହଙ୍ଗାମାକୁ ଦୃଷ୍ଟିରେ ରଖି ସଂନ୍ଧ୍ୟାରେ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ପାଲଟା ହମଲା କରିଥିଲେ। ଶାହା କହିଥିଲେ ତାଙ୍କ ମନ୍ତବ୍ୟକୁ କଂଗ୍ରେସ କଦାର୍ଥ କରିଛି। କଂଗ୍ରେସ ହିଁ ଆମ୍ବେଦକର ଓ ସମ୍ବିଧାନକୁ ବାରମ୍ବାର ଅସମ୍ମାନ କରିଛି। ଏମିତିକି ସେନା ଓ ମହିଳାଙ୍କୁ ଅସମ୍ମାନ କରିବା ସହିତ କଂଗ୍ରେସ ଦେଶକୁ ବିଭାଜିତ କରି ବିଦେଶ ହାତରେ କ୍ଷମତା ଅର୍ପଣ କରିଛି। ତାଙ୍କର ପୂରା ବକ୍ତବ୍ୟକୁ ସାର୍ବଜନୀନ କରିବା ଲାଗି ସେ ଗଣମାଧ୍ୟମଗୁଡିକୁ ନିବେଦନ କରିଥିଲେ। ଖଡଗେଙ୍କୁ ଟାର୍ଗେଟ କରି ଅମିତ ଶାହା ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରୋକଠୋକ୍ ମନା କରିଦେଇଥିଲେ।