ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀଙ୍କ ପାଇଁ ଉଦାରତା ଦେଖାଇଛନ୍ତି ସୁପ୍ରିମକୋର୍ଟ। ସେମାନଙ୍କ ଦାବି ଓ ପରାମର୍ଶ ଶୁଣିବା ଲାଗି ଅଦାଲତର ଦ୍ବାର ସବୁବେଳେ ଖୋଲା ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ଚାଷୀମାନେ ପଞ୍ଜାବ ସରକାରଙ୍କ ଦ୍ବାରା ଗଠିତ କମିଟି ସହିତ କୌଣସି ପ୍ରକାର ଆଲୋଚନା କରିବାକୁ ମନା କରିବା ପରେ ଆସିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏହି ବୟାନ। ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନସନରେ ବସିଥିବା କୃଷକ ନେତା ଜଗଜିତ ସିଂହ ଡାଲେଓ୍ବାଙ୍କ ସହିତ ବାରମ୍ବାର ବିସ୍ତୃତ ବୈଠକ କରାଯାଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତାପ୍ରାପ୍ତ କମିଟି ଆଲୋଚନା ପାଇଁ ଆନ୍ଦୋଳନକାରୀ କୃଷକମାନଙ୍କୁ କମିଟି ୧୭ ତାରିଖରେ ଡାକିଥିଲା। ମାତ୍ର ଏହି କମିଟି ସହିତ କୌଣସି ଆଲୋଚନା କରିବାକୁ ମନା କରିଦେଇଛନ୍ତି। ସେପଟେ ଜଗଜିତ କହିଛନ୍ତି କୃଷକଙ୍କୁ କୋର୍ଟରେ ସେମାନଙ୍କ ଅଭିଯୋଗ ରଖିବାର ଅନୁମତି ଦିଆଯିବା ଉଚିତ। ଏହାର ଜବାବରେ କୋର୍ଟ କହିଛନ୍ତି ଚାଷୀ ଯେତେବେଳେ ଚାହିଁବେ ସିଧାସଳଖ ଅଥବା ସେମାନଙ୍କ ପ୍ରତିନିଧିଙ୍କ ଜରିଆରେ କୋର୍ଟକୁ ନିଜର ଅଭିଯୋଗ ଓ ପରାମର୍ଶ ନେଇ ଆସିପାରିବେ। ଉଲ୍ଲେଖ ଯେ ଚାଷୀଙ୍କ ଦାବି ସ୍ବୀକାର କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢାଇବା ଲାଗି ଜଗଜିତ ନଭେମ୍ବର ୨୬ରୁ ଅନସନରେ ବସିଛନ୍ତି। ସେ କର୍କଟ ପୀଡ଼ିତ ହୋଇଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ଯାହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିବା ସହିତ ତାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି।