ମୁମ୍ବାଇ ଉପକୂଳରେ ବୁଧବାର ଏକ ବୋଡ ବୁଡ଼ି ୧୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ନୌସେନାର ୩ ଜଣ କର୍ମଚାରୀ ଏବଂ ୧୦ ଜଣ ସାଧାରଣ ଲୋକ ଅନ୍ତର୍ଭୁକ୍ତ। ଅନ୍ୟ ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ଣରେ ମୁମ୍ବାଇର ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ନିକଟରେ ଏହି ଘଟଣା ଘଟିଛି। ନୀଲ କମଲ ନାମକ ଏହି ବୋଟ୍ଟି କିଛି ଯାତ୍ରୀଙ୍କୁ ନେଇ ଏଲିଫାଣ୍ଟା ଆଇଲାଣ୍ଡରୁ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆକୁ ଯାଉଥିଲା। ଦ୍ରୁତ ବେଗରେ ଆସୁଥିବା ଏକ ସ୍ପିଡବୋଟ୍ ଏହି ଯାତ୍ରୀବାହୀ ବୋଟ୍କୁ ଧକ୍କା ଦେଇଥିବାର ଭିଡିଓ ସମ୍ମୁଖକୁ ଆସିଛି। ସ୍ପିଡବୋଟ୍ର ଇଞ୍ଜିନରେ ତ୍ରୁଟି ଥିଲା, ଯାହା କାରଣରୁ ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି। ନୌସେନା ଓ ତଟରକ୍ଷୀ ବାହିନୀର ଏକ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯାତ୍ରୀମାନେ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଉଦ୍ଧାର କାମରେ ୧୧ଟି ନୌସେନା ବୋଟ୍, ୩ଟି ସାମୁଦ୍ରକି ପୋଲିସ ବୋଟ୍ ଏବଂ ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍ ନିୟୋଜିତ କରାଯାଇଥିଲା। ଏଥିସହ ଜବାହାରଲାଲ ନେହରୁ ବନ୍ଦର ପ୍ରାଧିକାରଣରୁ ୪ଟି ହେଲିକପ୍ଟର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଧୀବରମାନଙ୍କ ସହାୟତାରେ ଉଦ୍ଧାର ତଥା ନିଖୋଜଙ୍କ ସନ୍ଧାନ କାର୍ଯ୍ୟ କରାଯାଇଥିଲା।