ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ସକାଳେ କୁଲଗାମ ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟରେ ୨ ଜଣ ଯବାନଙ୍କ ଶରୀରରେ ଗୁଳି ବାଜିଥିବାରୁ ସେମାନେ ଆହତ ହୋଇ ଚିକିତ୍ସା ପାଇଁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବୁଧବାର ରାତିରେ କୁଲଗାମ ଜିଲାର ବେହିବାଗ ଥାନା ଅନ୍ତର୍ଗତ କଦ୍ଦେର ଗାଁ ନିକଟସ୍ଥ ଜଙ୍ଗଲରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ମିଳିତ ପକ୍ଷରୁ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିବାରୁ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୫ ଆତଙ୍କବାଦୀ ନିହତ ହେବାସହିତ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଏହାସହିତ ତଲାସୀ ଅଭିଯାନ ଜାରି ରହିଛି।