ଲକ୍ଷ୍ନୌ: ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବରେଲୀ-ଫାରୁଖବାଦ ରାଜ୍ୟ ରାଜପଥରେ ଏକ କାର୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ସମେତ ୩ ଜଣ ଗୁରୁତର ମଧ୍ୟ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ ନିଜ ପରିବାର ଲୋକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଏକ କାର୍ ଯୋଗେ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକଟି କାର୍କୁ ଜୋରଦାର ଧକ୍କା ଦେବା ଫଳରେ କାର୍ଟି ରାସ୍ତାରୁ ଛିଟ୍କି ପଡିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ପ୍ରାଣହାନୀ ହୋଇଯାଇଥିବା ବେଳେ ବାକି ୩ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୨ ଜଣ ଶିଶୁ ଏବଂ ଜଣେ ପୁରୁଷ ଥିବା ଜଣାପଡିଛି ।
ଅପରପକ୍ଷରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ କରି ପୋଲିସ ଅଧିକ ପଚରାଉଚରା ଜାରି ରଖିଛି।