ସମ୍ଭଲ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିବା ଅଭିଯୋଗରେ ସମ୍ଭଲରେ ସମାଜବାଦି ପାର୍ଟି ସାଂସଦ ଜିଆ ଉର୍ ରେହମାନ ବୁର୍କଙ୍କ ଘରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ବିଦ୍ୟୁତ୍ ଚୋରି ଅଭିଯୋଗରେ ବିଭାଗ ପକ୍ଷରୁ ସାଂସଦଙ୍କ ନାମରେ ଏତଲା ରୁଜୁ ହୋଇଛି। ବିଭାଗ ପକ୍ଷରୁ ମିଟର ରିଡିଂ ନେବା ସମୟରେ ତାଙ୍କ ଘର ବାହାରେ କଡ୍ଡା ସୁରକ୍ଷା ପ୍ରହରା ଦେଖିବାକୁ ମିଳିଥିଲା। ଶେଷରେ ଧରାପଡ଼ିବା ପରେ ବିଭାଗକୁ ନାଲିଆଖି ଦେଖାଇ ସାଂସଦଙ୍କ ପରିବାର ଲୋକେ ଆମ ସରକାର ଆସିଲେ ଦେଖିଦେବୁ ବୋଲି ଧମକ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ସମ୍ଭଲର ଦୀପସରାଇରେ ବିଦ୍ୟୁତ ଚୋରି ପାଇଁ ୨୦୦ ଗ୍ରାହକଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଥିଲା । ସମ୍ଭଲ ତହସିଲରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉପରେ ୧୦୧ କୋଟି ଟଙ୍କା ରହିଥିବା ବେଳେ ସମ୍ଭଲ ସାଂସଦ ଜିଆ ଉର ରେହମାନ ବିଦ୍ୟୁତ ବ୍ୟବହାରରେ ଅନିୟମିତତା ଚିହ୍ନଟ କରାଯାଇଥିଲା ।
ସାଂସଦଙ୍କ ଘରେ ମିଟର ରିଡିଂ ହେବା ପରେ ଗତ ୧ ବର୍ଷ ହେବ ତାହା ଶୂନ ଆସୁଥିଲା। ବୁଧବାର ଜିୟାଉରଙ୍କ ଘରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସାଂସଦଙ୍କ ଘରେ ଦୁଇଟି ବିଦ୍ୟୁତ ସଂଯୋଗ ଥିବା ବିଦ୍ୟୁତ ବିଭାଗ ଅଧିକାରୀ କହିଥିବା ବେଳେ ଗୋଟିଏ ସଂଯୋଗ ସାଂସଦ ଜିଆଉର ରେହମାନଙ୍କ ନାମରେ ଓ ଦ୍ୱିତୀୟ ସଂଯୋଗ ତାଙ୍କ ଜେଜେବାପା ଶାଫିକ୍-ଉର୍-ରେହମାନ ବୁର୍କଙ୍କ ନାମରେ ଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ସାଂସଦଙ୍କ ଘରେ ମୋଟ ୧୬,୫୦୦ ଓ୍ବାଟ ବିଦ୍ୟୁତ ବ୍ୟବହାର ହେଉଥିବା ଉପକରଣ ରହିଥିଲା। ଏହି ତାଲିକାରେ ଜିୟାଉରଙ୍କ ଘରେ ୮୩ ବଲ୍ବ, ୧୯ ପଙ୍ଖା, ୩ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସମେତ ଗିଜର, ମାଇକ୍ରୋଓ୍ବେଭ, ଓ୍ବାଶିଂମେସିନ, ଫ୍ରିଜ ଆଦି ଉପକରଣ ରହିଥିଲା। କିନ୍ତୁ ମିଟର ଟାମ୍ପରିଂ ଯୋଗୁ ବିଲ୍ ଶୂନ ଆସୁଥିଲା। ଏ ନେଇ ବିଭାଗ ପକ୍ଷରୁ ସାଂସଦଙ୍କ ନାମରେ ଏତଲା ରୁଜୁ ହୋଇଛି।