ମୁମ୍ବାଇ: ଗୁରୁବାର ପ୍ରାରମ୍ଭରୁ ଘରୋଇ ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା। ଆସନ୍ତା ବର୍ଷ ଠାରୁ ଆମେରିକାରେ ଫେଡ୍ ରିଜର୍ଭ ସୁଧ ହାର ହ୍ରାସ ଗତିକୁ ମନ୍ଥର କରିବ ବୋଲି ସୂଚନା ଦେବା ପରେ ସେଠାକାର ଷ୍ଟକ ବଜାରରେ ବ୍ୟାପକ ହ୍ରାସ ଘଟିଥିଲା। ଏହାର ପ୍ରଭାବ ଗୁରୁବାର ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ୯.୩୦ରେ ସେନ୍ସେକ୍ସ ୧୦୧୦ ପଏଣ୍ଟ ବା ୧.୧୫% ହ୍ରାସ ପାଇ ୭୯,୧୭୧ରେ ଆରମ୍ଭ ହୋଇଥିଲା। ସେହିପରି ଏନଏସଇ ନିଫ୍ଟି ୩୦୨ ପଏଣ୍ଟ ବା ୧.୧୭% ହ୍ରାସ ପାଇ ୨୩,୯୧୬.୫୦ରେ ଖୋଲିଥିଲା।
ବିଏସଇ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୫.୯୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୪୬.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହାଯୋଗୁଁ ସେନ୍ସେକ୍ସରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଇନଫୋସିସ୍, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏସବିଆଇ ଏବଂ ଏଚ୍ ସିଏଲ୍ ଟେକ୍ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆକ୍ସିସ୍ ବ୍ୟାଙ୍କ, ଏମ୍ ଆଣ୍ଡ ଏମ୍, କୋଟାକ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।