ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବ। ତେବେ କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହାର ଅନୁଧ୍ୟାନ ପାଇଁ ଗୁରୁବାର ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନ୍ଏଚ୍ଏ)ଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୩ ଜଣିଆ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ନୂଆ ଆର୍ଥିକ ବର୍ଷ ପୂର୍ବରୁ ଏହି ଯୋଜନା କାର୍ଯକାରୀ ହେବା ନେଇ ଆଶାବାଦୀ ରହିଛୁ ବୋଲି ସଚିବ କହିଛନ୍ତି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଯୋଜନାକୁ କିଭଳି ଏକତ୍ର କାର୍ଯ୍ୟକାରୀ କରାଯିବ ତାହା ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ଦୁଇ ଯୋଜନା କାର୍ଯ୍ୟକାରୀ ହେଲେ କେଉଁ କେଉଁ ସମସ୍ୟା ସୃଷ୍ଟି ହେବ ତାହା ଉପରେ ଅଧିକାରୀମାନେ ବିଚାରବିମର୍ଶ ଚଳାଇଛନ୍ତି। କିଛିଦିନ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଜିଜେଏୱାଇ-ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ପରେ ଦେଶର ୨୭ହଜାର ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ।