ବରେଲି: ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଧମକକାରୀ ଜାରିକାଳୀନ ସେବା ନମ୍ବର ୧୧୨କୁ ଫୋନ୍ କରି ହତ୍ୟା ଧମକ ଦେଇଥିଲା। ଆସନ୍ତା ଜାନୁଆରୀ ୨୬ରେ ସେ ଲକ୍ଷ୍ନୌରେ ପହଞ୍ଚି ଯୋଗୀଙ୍କୁ ଗୁଳି କରିବ ବୋଲି କହିଥିଲା। ଏହାପରେ ତୁରନ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଜିଥିବା ବେଳେ ଅଭିଯୁକ୍ତ ଅନିଲ କୁମାରକୁ ବରେଲିରୁ ଗିରଫ କରାଯାଇଥିଲା। ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ୧୧୨କୁ ଫୋନ୍ କରି ଜାନୁଆରୀ ୨୬ରେ ସେ ଯୋଗୀଙ୍କୁ ହତ୍ୟା କରିବା ଧମକ ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ତୁରନ୍ତ ବରେଲିରେ ପହଞ୍ଚିଥିଲା। ପୋଲିସ ଓ ଏଟିଏସ୍ ର ମିଳିତ ଉଦ୍ୟମରେ ଅଭିଯୁକ୍ତର ଫୋନ୍ ଟ୍ରାକ୍ କରି ଶେଷ ଲୋକେସନ୍ ଅହଲ୍ଲାଦପୁରରୁ ମିଳିଥିଲା। ପୋଲିସର ଦୁଇଟି ଟିମ୍ ଅହଲ୍ଲାଦପୁରରେ ପହଞ୍ଚିଥିଲେ ମଧ୍ୟ ସେଠାରୁ କୌଣସି ସୂଚନା ନ ମିଳିବାରୁ ନମ୍ବରର ଆଇଡି ଦ୍ୱାରା ନବାବଗଞ୍ଜ ଅଭିମୁଖେ ଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅଭିଯୁକ୍ତର ସନ୍ଧାନ ପାଇନଥିଲା। ତେବେ ବୁଧବାର ସକାଳେ ଅନିଲ ଫୋନ୍ ଖୋଲିବା ପରେ ତାଙ୍କୁ ଗିରଫ କରାଯାଇଥିଲା।