କଟକ: ପ୍ରତିବର୍ଷ ଭଳି ଏଥର ମଧ୍ୟ ଶୀତ ଋତୁରେ କଟକରେ ଶୀତ ବସ୍ତ୍ରର ପସରା ମେଲାଇଛନ୍ତି ତିବ୍ଦତୀୟ ବ୍ୟବସାୟୀମାନେ। ସଂପ୍ରତି ସହରରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଗ୍ରାହକମାନେ ଭଳିକିଭଳି ମନ ପସନ୍ଦର ଶୀତବସ୍ତ୍ର କିଣିବାକୁ ତିବ୍ଦତୀୟଙ୍କ ଶୀତ ବସ୍ତ୍ର ବଜାରରେ ଭିଡ଼ି ଜମାଉଛନ୍ତି। ନିଜ ମନ ପସନ୍ଦର ଶୀତ ବସ୍ତ୍ର କିଣିବାକୁ ଗ୍ରାହକମନେ ବେଶ ପସନ୍ଦ କରୁଛନ୍ତି। ଚଳିତବର୍ଷ ବେପାର ଭଲ ହେବ ବୋଲି ଏହି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି ।
ଶୀତ ଋତୁ ଆଗମନରେ କଟକରେ ତିବ୍ଦତୀୟଙ୍କ ଶୀତବସ୍ତ୍ର ମାର୍କେଟ ଖୋଲିଥାଏ । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ରୋଡ଼ ମହାନଦୀକୂଳରେ ଚଳିତ ବର୍ଷ ପାଖାପାଖି ୫୦ଟି ଶୀତବସ୍ତ୍ର ଷ୍ଟଲ ଖୋଲିଛି। ୫ଦଶକ ଧରି ଏହି ବ୍ୟବସାୟୀମାନେ କଟକରେ ଶୀତବସ୍ତ୍ର ବେପାର କରି ଆସୁଛନ୍ତି । ପୂର୍ବରୁ ହାତ ତିଆରି ସାଲ ଓ ସ୍ୱଏଟର ଆଦି ଏହି ବ୍ୟବସାୟୀମାନେ ବିକ୍ରୟ କରୁଥିଲେ। ବର୍ତ୍ତମାନ ସମୟରେ ଆଧୁନିକ ଢ଼ାଞ୍ଚାର ଜ୍ୟାକେଟ, କମ୍ବଳ, ସ୍ୱେଟ ସାର୍ଟ, ମଫଲର, ମୋଜା ଓ ଗ୍ଲୋବସ ଆଦି ଭଳିକି ଭଳି ଶୀତବସ୍ତ୍ର ଏହି ଷ୍ଟଲଗୁଡ଼ିକରେ ଉପଲବ୍ଧ ହେଉଛି। ଜ୍ୟାକେଟର ଦାମ ୭୦୦ରୁ ୧୫୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ସ୍ୱେଟ ସାର୍ଟର ମୂଲ୍ୟ ୮୦୦ରୁ ୧୨୦୦ଟଙ୍କା ମଧ୍ୟରେ ରହିଛି। ଆକର୍ଷଣୀୟ କମ୍ବଳର ମୂଲ୍ୟ ୭୦୦ରୁ ୨୦୦୦ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି। ଏହି ବ୍ୟବସାୟୀମାନେ ବିଶେଷ କରି ଶୀତବସ୍ତ୍ରଗୁଡ଼ିକୁ ନେପାଳ, ଦିଲ୍ଲୀ, ହରିୟାନା ଓ ଦାର୍ଜିଲିଂ ଆଦି ସ୍ଥାନରୁ ଆଣି ଏଠାରେ ବିକ୍ରୟ କରିଥାନ୍ତି। ନବଜାତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ପାଇଁ ସମସ୍ତ ପ୍ରକାର ଶୀତବସ୍ତ୍ର ଏଠାରେ ଉପଲବ୍ଧ ରହିଛି। ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ ଶୀତ ବସ୍ତ୍ର ଅଣାଯାଇଥାଏ। ପାଖାପାଖି ୩ ମାସ ଧରି ଏହି ମାର୍କେଟ ଚାଲିଥାଏ ।
ଦୀର୍ଘ ବର୍ଷ ଧରି କଟକରେ ତିବ୍ଦତୀୟମାନେ ଶୀତବସ୍ତ୍ର ବିକ୍ରୟ କରୁଛନ୍ତି। ପୂର୍ବ ବର୍ଷମାନଙ୍କରେ ସ୍ଥାନୀୟ ଖାନନଗରଠାରେ ଏହି ମାର୍କେଟ ଖୋଲୁଥିଲା । ହେଲେ ବସ ଟରମିନାଲ ନିର୍ମାଣ ପରେ ଏହି ମାର୍କେଟ ମଙ୍ଗଳାବାଗକୁ ସ୍ଥାନାନ୍ତରିତ ହୋଇଛି। ସଂପ୍ରତି ସହରରେ ଶୀତର ମାତ୍ରା ବୃଦ୍ଧି ପାଇଥିବା ଯୋଗୁ ଶୀତବସ୍ତ୍ର ବଜାରରେ ଗ୍ରାହକମାନଙ୍କର ଭିଡ଼ ଜମିବାରେ ଲାଗିଛି। ମହାନଦୀର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ନିଜ ମନ ପସନ୍ଦର ଶୀତବସ୍ତ୍ର କିଣିବା ପାଇଁ ଗ୍ରାହମମାନେ ସେମାନଙ୍କ ପରିବାର ସହିତ ଏଠାକୁ କିଣାକିଣି କରିବାକୁ ଆସୁଛନ୍ତି। ଶୀତ ବସ୍ତ୍ରଗୁଡ଼ିକ ଫିକ୍ସ ରେଟରେ ବିକ୍ରୟ କରାଯାଉଛି। ପକେଟକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଶୀତ ବସ୍ତ୍ର ଏଠାରେ ଉପଲବ୍ଧ ହେଉଥିବାରୁ ଗ୍ରାହକମାନେ ବିଶେଷକରି ଏହି ମାର୍କେଟରୁ ସାମଗ୍ରୀ କିଣିବା ପାଇଁ ପସନ୍ଦ କରୁଛନ୍ତି । ସହରରେ ସଂପ୍ରତି ଶୀତର ପ୍ରଭାବ ବୃଦ୍ଧି ହେତୁ ତିବ୍ଦତୀୟ ଶୀତ ବସ୍ତ୍ର ମାର୍କେଟରରେ ବେପାର ଭଲ ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।