ନୂଆଦିଲ୍ଲୀ,୧୯।୧୨: ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା। ବିଜେପି ଓ ବିପକ୍ଷ ସାଂସଦମାନଙ୍କ ମଧ୍ୟରେ ଘଟିଛି ସାଙ୍ଘାତିକ ଠେଲାପେଲା। ପରସ୍ପରକୁ ଧକ୍କା ମରାମରି ହୋଇଛନ୍ତି ଉଭୟ ପକ୍ଷର ସାଂସଦ। ଏହି ସମୟରେ ତଳେ ପଡି ଲହୁଲୁହାଣ ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ୟୁପିର ଫାରୁଖାବାଦ ସାଂସଦ ମୁକେଶ ରାଜପୁତ। ପ୍ରତାପଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ୫ଟି ଷ୍ଟିଚ୍ ପକାଇବାକୁ ପଡିଛି। ଏମିତିକି ଉଭୟ ସାଂସଦଙ୍କୁ କିଛି ସମୟ ପାଇଁ ଆଇସିୟୁରେ ମଧ୍ୟ ରଖିବାକୁ ପଡିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେବାରୁ ତଳେ ପଡି ସେ ଆହତ ହୋଇଥିବା ଷଡ଼ଙ୍ଗୀ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ହୁଲୁସ୍ତୁଲ କରିଛି ବିଜେପି। ରାହୁଲଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣି ବିଜେପି ଦିଲ୍ଲୀ ପୋଲିସ ନିକଟରେ ଏତଲା ରୁଜୁ କରିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି।
ବିକ୍ଷୋଭ-ପ୍ରତିବିକ୍ଷୋଭ, ଆରୋପ-ପ୍ରତିଆରୋପ, ଏତଲା-ପ୍ରତିଏତଲା, ସାମ୍ବାଦିକ ସମ୍ମିଳନୀରେ ହମଲା-ପ୍ରତିହମଲା। ଶୀତକାଳୀନ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ସଂସଦର ସଦନ ବାହାରେ ଗୁରୁବାର ଦେଖିବାକୁ ମିଳିଛି ଏଭଳି ହାଇଡ୍ରାମା। ଏନଡିଏ ଓ ବିପକ୍ଷ ମଧ୍ୟରେ ଠେଲାପେଲା ଘଟି ଲହୁଲୁହାଣ ହୋଇଛନ୍ତି ବିଜେପିର ଦୁଇ ଜଣ ସାଂସଦ। ପୂର୍ବାହ୍ନରେ ପାର୍ଲାମେଣ୍ଟର ମକର ଦ୍ବାର ବାହାରେ ଏନଡିଏ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ କଂଗ୍ରେସ ସାଂସଦମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ଆମ୍ବେଦକର’ ମନ୍ତବ୍ୟକୁ ନେଇ ବିକ୍ଷୋଭ ପୂର୍ବକ ସେଠାରେ ପହଞ୍ଚି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ। ଫଳରେ ସେଠାରେ ଠେଲାପେଲା ସ୍ଥିତି ଉପୁଜିଥିଲା। ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ୟୁପିର ଫାରୁଖାବାଦ ସାଂସଦ ମୁକେଶ ରାଜପୁତ ତଳେ ପଡି ଆହତ ହୋଇଥିଲେ। ସାଥୀ ସାଂସଦ ମାନେ ପ୍ରତାପଙ୍କୁ ତୁରନ୍ତ ଏକ ଚଉକିରେ ବସାଇ ଆଶୁ ଚିକିତ୍ସା କରିଥିଲେ। କିଛି ସମୟ ପରେ ରାହୁଲ ପ୍ରତାପଙ୍କ ନିକଟକୁ ଆସିଥିଲେ ମଧ୍ୟ ତାଙ୍କ ସହିତ ବେଶୀ କିଛି କଥା ନ ହୋଇ ଚାଲିଯାଇଥିଲେ। ସକାଳେ ୧୧ଟା ୩୦ରେ ପ୍ରତାପ ଓ ମୁକେଶଙ୍କୁ ରାମ ମନୋହର ଲୋହିଆ ବା ଆରଏମଏଲ ହସ୍ପିଟାଲର ଆଇସିୟୁ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କର ଚିକିତ୍ସା କରିଥିଲେ। ମୁକେଶଙ୍କର ଅଲଟ୍ରାସାଉଣ୍ଡ କରାଇବାକୁ ପଡିଛି। ଉଭୟ ସାଂସଦଙ୍କ ପିଠିରେ ଯନ୍ତ୍ରଣା ଥିବା ଆରଏମଏଲ ହସ୍ପିଟାଲର ଡାକ୍ତର ଅଜୟ ଶୁକ୍ଲା ସୂଚନା ଦେଇଛନ୍ତି। ଆଇସିୟୁରେ ଥିବା ବେଳେ ପ୍ରତାପ ଓ ମୁକେଶଙ୍କୁ ଫୋନ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାକ୍ତରଖାନାରେ ସେମାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ଗୁଣ୍ଡା ପରି ଆସିଲେ । ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି । ଏପଟେ ରାହୁଲଙ୍କୁ ତୀବ୍ର ସମାଲୋଚନା କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ। ରାହୁଲ କ’ଣ ସାଂସଦମାନଙ୍କୁ ମାରିବାକୁ କରାଟେ ଓ କୁଙ୍ଗ ଫୁ ଶିଖିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏ ନେଇ ରାହୁଲଙ୍କ ବିରୋଧୀରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରାହୁଲଙ୍କ ବିରୋଧରେ ବିଏନଏସ ଧାରା ୧୦୯(ହତ୍ୟା ଉଦ୍ୟମ), ୧୧୫, ୧୧୭(ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା), ୧୨୫, ୧୩୧ ଏବଂ ୩୫୧ ଏତଲା ରୁଜୁ ହୋଇଛି।
ବିଜେପିର ଏହି ପଦକ୍ଷେପରେ ଉତ୍କ୍ଷିପ୍ତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଠେଲାପେଲାରେ ନିଜେ ଆହତ ହୋଇଥିବା ନେଇ ପାଲଟା ଅଭିଯୋଗ ଆଣିଥିଲେ। ବିଜେପି ସାଂସଦମାନେ ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ କରି ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଯାହାପରେ ଆରମ୍ଭ ହୋଇଯାଇଥିଲା ଆରୋପ ପ୍ରତ୍ୟାରୋପର ଲମ୍ବା ଧାରା। ନାଗାଲାଣ୍ଡର ବିଜେପି ସାଂସଦ ରାହୁଲଙ୍କ ବିରୋଧରେ ଅସଦବ୍ୟବହାରର ଅଭିଯୋଗ ଆଣିଥିଲେ। ଜବାବରେ ବିଜେପି ସାଂସଦ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସର ଅନ୍ୟ ମହିଳା ସାଂସଦମାନଙ୍କୁ ଅସଦବ୍ୟବହାର କରିଥିବା ଦାବି କରିଥିଲେ କଂଗ୍ରେସର ଜେବି ମାଥେର । ଏମିତିକି କଂଗ୍ରେସର କିଛି ସାଂସଦ ଅଭିଯୋଗ ଦାଖଲ କରିବାକୁ ପାର୍ଲାମେଣ୍ଟ ଷ୍ଟିଟ ଥାନାରେ ପହଞ୍ଚିଥିଲେ।