ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିପକ୍ଷ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୁରୁବାର ରଦ୍ଦ କରିଦେଇଛନ୍ତି। ଗୃହରେ ପକ୍ଷପାତିତା କରୁଥିବାର ଅଭିଯୋଗ ଉଠାଇ ଧନଖଡଙ୍କୁ ପଦଚ୍ୟୁତ କରିବା ଲାଗି କଂଗ୍ରେସ ନେତୃତ୍ବରେ ବିପକ୍ଷ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ମାତ୍ର ଏହି ପ୍ରସ୍ତାବ ଆଣିବା ନେଇ କୌଣସି ଗୁରୁତ୍ବପୂର୍ଣ୍ଣ କାରଣ ଦର୍ଶାଯାଇ ନଥିବା ବେଳେ କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏଭଳି କରାଯାଇଥିବା ହରିବଂଶ ଦର୍ଶାଇଛନ୍ତି। ସମ୍ବିଧାନର ବିଭିନ୍ନ ଧାରା ଏବଂ ରାଜ୍ୟସଭାର ବିଭିନ୍ନ ନିୟମ ଅନୁଧ୍ୟାନ ପରେ ହରିବଂଶ ଏହି ରାୟ ଦେଇଥିବା ରାଜ୍ୟସଭା ସାଧାରଣ ସଚିବ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ଗତ ୯ ତାରିଖରେ ରାଜ୍ୟସଭାରେ ଜର୍ଜ ସୋରସ ପ୍ରସଙ୍ଗ ଉପରେ ହଙ୍ଗାମା ବେଳେ ଅଧ୍ୟକ୍ଷ ଧନଖଡ଼ଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଏକପାଖିଆ ନିଷ୍ପତ୍ତି ନେଉଥିବା ଅଭିଯୋଗ କରି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା।