ସାଂସଦଙ୍କୁ ଧକ୍କା ଦେବା ଘଟଣାକୁ ନେଇ ରାହୁଲ ଗାନ୍ଧିଙ୍କୁ ଦେଶବ୍ୟାପୀ ବିଜେପି ନେତା ତଥା ଅନ୍ୟମାନେ ତୀବ୍ର ସମାଲୋଚନା କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ରାହୁଲ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ସଂସଦରେ ପ୍ରବେଶ ଉଦ୍ୟମ ବେଳେ ବିଜେପି ସାଂସଦମାନେ ତାଙ୍କୁ ଓ ତାଙ୍କ ଦଳର ସାଂସଦମାନଙ୍କୁ ଧକ୍କା ଦେଇଥିଲେ। ଯାହାକି ସେଠାରେ ଠେଲାପେଲା ସ୍ଥିତି ସୃଷ୍ଟି କରିଥିଲା। ବିଜେପି ପକ୍ଷରୁ କ୍ରମାଗତ ଭାବେ ରାହୁଲଙ୍କୁ ଦୋଷାରୋପ କରାଯିବାରୁ ତାଙ୍କ ସପକ୍ଷରେ ବାହାରିଥିଲେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। କାହାରିକୁ ଧକ୍କା ଦେଇ ଆହତ କରିବା ରାହୁଲଙ୍କ ସ୍ବାଭବ ନୁହେଁ ବୋଲି ଓମାର କହିଥିଲେ। ଭାଇ ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ୟ କହିଥିଲେ ଯେ ବିଜେପି ରାହୁଲଙ୍କୁ ବଦନାମ କରିବା ସହିତ ଆମ୍ବେଦକର ମନ୍ତବ୍ୟକୁ ନେଇ ବିକ୍ଷୋଭ ଉପରୁ ଧ୍ୟାନ ହଟାଇବା ଲାଗି ଏଭଳି ଅଭିଯୋଗ ଆଣି ହଙ୍ଗାମା କରିଛି। ସଂସଦରେ ଠେଲାପେଲା ଓ ରାହୁଲଙ୍କ ବିରୋଧରେ ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଦର୍ଶାଇ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ଏକ ଅଭିଯୋଗ କରିଛନ୍ତି। ଏଥିସହ ରାହୁଲଙ୍କୁ ବିଜେପି ସାଂସଦମାନେ ଠେଲାପେଲା କରିଥିବା ଅଭିଯୋଗ ଦର୍ଶାଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ଏକ ଚିଠି ଲେଖି ତଦନ୍ତ ଦାବି କରିଛନ୍ତି କଂଗ୍ରେସ ସାଂସଦମାନେ।
ସଂନ୍ଧ୍ୟା ହେଉହେଉ ଏହି ମାମଲା ସାଙ୍ଘାତିକ ରୂପ ନେଇଥିଲା। ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ରାହୁଲଙ୍କ କୁଶପୂତଳିକା ଦାହ କରିଥିଲେ ବିଜେପି ନେତା ଓ କର୍ମୀ। ସେପଟେ ସଂନ୍ଧ୍ୟାରେ ରାହୁଲ ଗାନ୍ଧି ଓ ଖଡଗେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ହମଲା ବୋଲ କରିଥିଲେ। ରାହୁଲ କହିଥିଲେ ଆମ୍ବେଦକରଙ୍କୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବିଜେପି ତାହା ଉପରୁ ଧ୍ୟାନ ହଟାଇବାକୁ ଏଭଳି ହଙ୍ଗାମା ରଚିଛି। ଆମ୍ବେଦକରଙ୍କୁ ଅସମ୍ମାନ କରିବା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ କ୍ଷମାପ୍ରାର୍ଥନା କରିବା ସହ ଇସ୍ତଫା ଦେବା ଉଚିତ ବୋଲି ରାହୁଲ କହିଛନ୍ତି।
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ରାହୁଲ ସାଂସଦରେ ଜଣେ ଗୁଣ୍ଡା ଭଳି ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ। ଆଜି ସାଂସଦ ବାହାରେ ଯାହା ଘଟିଯାଇଛି ସେଥିେନଇ ଉଭୟ ରାହୁଲ ଓ ଖଡଗେ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ଶିବରାଜ କହିଛନ୍ତି।