ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହା ଫଳରେ ରାସ୍ତା ମଝିରେ ଜଳିଗଲା ୪୦ରୁ ଅଧିକ ଗାଡ଼ି । ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଧକ୍କା ହେବାରୁ ଘଟିଛି ଭୟଙ୍କର ଅଗ୍ନିକାଣ୍ତ । ଏହି ଦୁର୍ଘଟଣାରେ ୫ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ଜୟପୁରରେ ସିଏନଜି ଭର୍ତ୍ତି ଏକ ଟ୍ରକ୍ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଭୟଙ୍କ ବିସ୍ଫୋରଣ ହୋଇ ସେଠାରେ ଥିବା ଅନ୍ୟ ଗାଡିମାନଙ୍କରେ ନିଆଁ ଲାଗିଯାଇଥିଲା । ଏପରିକି ଏକ ଯାତ୍ରୀବାହୀ ବସରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁ ଦେଖି କିଛି ଲୋକ ବସ୍ ଝରକା ପଟେ ବାହାରକୁ ଡେଇଁ ପଡିଥିବା ବେଳେ କିଛି ବସ୍ ମଧ୍ୟରେ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଗୁରୁତର ହୋଇଛନ୍ତି। ସେହିପରି ଏକ କାରଖାନାରେ ମଧ୍ୟ ନିଆଁ ଲାଗିଯାଇ ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଅଜମେର ରାଜପଥରେ ଯାତାୟାତ ବନ୍ଦ ରହିଛି। ସେପଟେ ସିଭିଲ୍ ଡିଫେନ୍ସ ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣା ଗାଡି଼ରୁ ଲୋକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣାରେ ପୀଡିତଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି।