ସାଧାରଣତଃ ଶୀତଦିନେ ଲୋକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଯିବାକୁ ପସନ୍ଦ କରିଥାନ୍ତି। ବର୍ଷ ସରି ଆସୁଥିବାରୁ ଆରମ୍ଭ ହୋଇଛି ପିକନିକ୍ ମଜା । ଗୋଟିଏ ପଟେ ବଢୁଛି ଶୀତର ପ୍ରକୋପ ତ ଅନ୍ୟପଟେ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ ।ଆଉ ପିକ୍ନିକ୍ ଋତୁରେ ଯଦି ବୁଲିବା ପାଇଁ ପ୍ଲାନ କରୁଛନ୍ତି ଥରେ ନିଶ୍ଚୟ ବୁଲି ଆସନ୍ତୁ ଓଡିଶାର ଦାରିଙ୍ଗବାଡି । ଏଠାକାର ପ୍ରାକୃତିକ ପରିବେଶ ନିଶ୍ଚିତ ବାନ୍ଧି ରଖିବ ଆପଣଙ୍କୁ । କାରଣ ଶୀତଦିନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ। ଏହା ହେଉଛି ଓଡ଼ିଶାର ଏକମାତ୍ର ପର୍ବତୀୟ ସ୍ଥାନ ଯେଉଁଠି ଶୀତଦିନେ ବରଫପାତ ହୋଇଥାଏ। ତେଣୁ ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କଶ୍ମୀର’ ବୋଲି କୁହାଯାଏ।
ଓଡ଼ିଶାର ଦାରିଙ୍ଗବାଡ଼ି କାଶ୍ମୀର ଠାରୁ କିଛି କମ ନୁହେଁ ବୋଲି ବହୁ ଲୋକଙ୍କ ଧାରଣା। ଏଠାକୁ ଲୋକେ ଶୀତ ଦିନେ ଓ ଖରାଦିନେ ମଧ୍ୟ ବୁଲିବାକୁ ଆସିଥାଆନ୍ତି। ଅଧିକାଂଶ ପର୍ୟ୍ୟଟକ ଶୀତ ଦିନେ ଏଠାକୁ ଆସିବାକୁ ଅଧିକ ପସନ୍ଦ କରିଥାଆନ୍ତି। ପାହାଡ଼ରେ ନିକଟରେ ଦେବଦାରୁ ବୃକ୍ଷ, ଅତିସୁନ୍ଦର ପ୍ରାକୃତିକ ଦୃଶ୍ୟ, ପର୍ବତ, ଝରଣା ଆଦି ମନ ମୋହିଥାଏ। ପର୍ୟ୍ୟଟକଙ୍କୁ ଏହା ଖୁବ ପସନ୍ଦ ଆସିଥାଏ।କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଏଠାକାର ଶୈଳ ନିବାସ (ହିଲ୍ ଷ୍ଟେସନ) ପର୍ୟ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ। ଶୀତ ଦିନେ ଦାରିଙ୍ଗବାଡ଼ିର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସି ଆସିବାରୁ ବରଫପାତ ହୁଏ। ହଳଦୀ ଓ ଅଦା ଚାଷ ଯୋଗୁ ଦେଶବିଦେଶରେ ଏହି ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ହୋଇଛି। ଏହି ସ୍ଥାନ ବ୍ରହ୍ମପୁର ଷ୍ଟେସନରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରୁ ବସ୍ କିମ୍ବା ଗାଡ଼ି କରି ଦାରିଙ୍ଗବାଡ଼ି ଯିବାକୁ ପଡ଼ିବ। ନିଜର ଅପରୂପ ସୌନ୍ଦର୍ୟ୍ୟ ହେତୁ ଏହାର ଏପରି ନାମକରଣ ହୋଇଛି। ଶୀତଦିନେ ଏଠାରେ ଖୁବ ଥଣ୍ଡା ଅନୁଭୂତ ହୋଇଥାଏ। ଏଠାରେ ବରଫ ପାତ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ, ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମନମୁଗ୍ଧକର ଅଟେ। ପାହାଡ଼ ସହ ଏଠାରେ ଝରଣା ମଧ୍ୟ ଦେଖିପାରିବେ ଓ ଏହାର ମଜା ନେଇପାରିବେ। ପର୍ୟ୍ୟଟନ ଋତୁର ଆରମ୍ଭରେ ଏଠାରେ ବେଶ ଜନସମାଗମ ହୋଇଥାଏ। ଲୋକେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଇଥାଆନ୍ତି।