ନାଉଗାଁ : ସମୟ ସରିଯାଉଛି, ହେଲେ କାମ ସରୁନି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଏ ଯାଏଁ ବାସ୍ତବ ରୂପ ନେଇ ପାରୁ ନାହିଁ ପୁନଃ ନିର୍ମାଣ ଓ ସଂପ୍ରସାରଣ କାର୍ଯ୍ୟ। କଣ୍ଟ ପୂରିବା ବର୍ଷେ ବିତିଲାଣି। ତଥାପି ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ଡାବର ରାସ୍ତା। ରାସ୍ତା ସାରା ପଡି ରହିଛି ଢିମାଢିମା ମେଟାଲ। ଯାନବାହାନ ଚଳାଚଳ ତ ପର କଥା ଏହି ରାସ୍ତାରେ ପଦଚାରୀଙ୍କ ଯାତାୟତ ମଧ୍ୟ କଷ୍ଟକର ହୋଇପଡିଛି। ଯମଯନ୍ତ୍ରଣା ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା।
ସୂଚନା ଫଳକ ତଥ୍ୟ ଅନୁସାରେ, ନାଉଗାଁ-ଡାବର ରାସ୍ତା ନିର୍ମାଣ ପାଇଁ ୫ କୋଟି ୮୯ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ଅଟକଳ ହୋଇ ୨୦୨୨ ଡିସେମ୍ବର ୧୭ରେ କାମ ଆରମ୍ଭ ହୋଇଥିଲା। ଏହା ୨୦୨୩ ନଭେମ୍ବର ୧୬ ସୁଦ୍ଧା ଶେଷ ହେବା କଥା। ମାତ୍ର ଏ ଭିତରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରୁନାହିଁ ରାସ୍ତା କାମ। ଠିକାଦାର ରାସ୍ତାରେ ମେଟାଲ ପକାଇ ସାମାନ୍ୟ ଡଷ୍ଟ ଛିଂଚି ଚୁପ ହୋଇ ବସି ଯାଇଛନ୍ତି। ରାସ୍ତାରେ ବିଛା ଯାଇଥିବା ଡଷ୍ଟକୁ ଠିକ ଭାବେ ରୋଲିଂ କରାଯାଇ ନଥିବା ବେଳେ ଗତ ଲଘୁଚାପ ବର୍ଷାରେ ପଡିଥିବା ଡଷ୍ଟ ଅନେକାଂଶରେ ଧୋଇ ହୋଇଗଲାଣି। ଫଳରେ ମେଟାଲ ସବୁ ବାହାରକୁ ବାହାରି ରାସ୍ତା ଉପରେ ବିଛାଇ ହୋଇପଡିଛି। ସ୍କୁଲ ପିଲା, ରୋଗୀ ଏହି ରାସ୍ତାରେ ଯାତାୟକ କରିବା ବିପଦଶଙ୍କୁଳ ହୋଇପଡିଛି। ଅପରପକ୍ଷେ ପଡିଥିବା ଡଷ୍ଟରେ ପ୍ରତ୍ୟହ ପାଣି ପଡୁ ନଥିବାରୁ ଯାନବାହାନ ଯିବା ସମୟରେ ଧୂଳି ଉଡି ସମସ୍ୟା ସୃଷ୍ଟି କରୁଛି। ଏପରିକି ଏହି ଧୂଳିରେ ଶ୍ୱାସ ରୋଗୀମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ପ୍ରସଙ୍ଗରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ ଠିକାଦାରଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ଲକର ଆଦର୍ଶ ବିଦ୍ୟାଳୟଟି ଦହିପାଳରେ ଅବସ୍ଥିତ। ଏହି ରାସ୍ତା ଦେଇ କୋରୁଅ, ଡେରିକି, ତିରୁଣା, ଡାବର, ଓଷକଣା ଆଦି ପଂଚାୟତର ଛାତ୍ରଛାତ୍ରୀମାନେ ସାଇକେଲ ଦ୍ୱାରା ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି। ରାସ୍ତାରେ ମେଟାଲ ବିଛେଇ ହୋଇ ପଡିରହିଥିବାରୁ ପିଲାମାନଙ୍କ ଯାତାୟତ ବିପଦଶଙ୍କୁଳ ପାଲଟିଛି। ଏମିତିକି ସଡ଼କ ସମସ୍ୟା କାରଣରୁ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାକୁ ଅମଙ୍ଗ ପ୍ରକାଶ କରୁଛନ୍ତି। ସେହିପରି ମରାମତିର ନାଉଗାଁ ବଜାର, କାନୁନଗୋସାହି, ଗୋଠଦା, ଦହିପାଳ ଆଦି ଗ୍ରାମରେ ନିର୍ମିତ କଂକ୍ରିଟ ରାସ୍ତା ଉପରୁ ମାସ କେତେଟା ମଧ୍ୟରେ ସିମେଂଟ ଛାଡି ଗୋଡି ବାହାରି ପଡିଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ ଯୋଗୁ କଂକ୍ରିଟ ରାସ୍ତା ଖାଲ ହୋଇ ପଡିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗୋଟିଏ ପାର୍ଶ୍ବରେ ରାସ୍ତା କାର୍ଯ୍ୟ ନ ସରୁଣୁ ଅନ୍ୟ ପାର୍ଶ୍ବରେ ନିର୍ମିତ ରାସ୍ତାରେ ଖାଲ ସୃଷ୍ଟି ହେବା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଠିକାଦାରଙ୍କୁ ରାସ୍ତା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବାକୁ ନିଦ୍ଦେର୍ଶ ଦିଆଯାଇଥିବା ସହକାରୀ ଯନ୍ତ୍ରୀ କହିଛନ୍ତି।