ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ଏହା ସକ୍ରିୟ ଥିବା ବେଳେ। ଏହାର ପ୍ରଭାବରେ ରାଜ୍ୟରେ ଶକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି । ଶନିବାର ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ମଧ୍ୟ ବର୍ଷା ହେବା ନେଇ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟିରେ ସର୍ବାଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡିରେ ୧୨.୮ ମି.ମି, କାଶୀନଗରରେ ୧୨.୬ ମି.ମି, ନୂଆଗଡ଼ରେ ୧୧.୮ ମି.ମି. ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ପାରଦ ୨ରୁ ୪ ଡିଗ୍ରୀକୁ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।