ଭୁବନେଶ୍ୱର : ଶନିବାର ଦିନ ହେବ ଛୋଟ ରାତି ହେବ ଲମ୍ବା । ରାଜଧାନୀ ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଏନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ପ୍ରତିବର୍ଷ ଡିସେମ୍ୱର ୨୧ କିମ୍ୱା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ୱା ହୁଏ ବା ଦିନର ଲମ୍ୱା ବଡ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ୱର ୨୫ ତାରିଖର ‘ବଡଦିନ’ ରୂପେ ପାଳନ କରାଯାଏ। ମାର୍ଚ୍ଚ ୨୨ କିମ୍ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ଜୁନ ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ। ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟକ୍ରାନ୍ତିଠାରୁ ଧୀରେଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢଳିଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚତ୍ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି।