ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ବର୍ଷା । ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ବର୍ଷା ପାଇଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ଚାଷୀଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ଅମଳ ସମୟ । ଧାନମଣ୍ଡି ଖୋଲାଯାଇ ନଥିବାରୁ ଧାନ ଗୁଡିକ ଜମିରେ ହିଁ ପଡିରହିଛି । ଏପରି ଅଦିନିଆ ବର୍ଷା ଯୋଗୁଁ ଧାନ ଗୁଡ଼ିକ ନଷ୍ଟ ହେବା ଥୟ । ମଣ୍ଡି ଖୋଲିଲେ ଧାନର ମାନଦଣ୍ଡ ଦେଖି ଧାନ କ୍ରୟ କରିବେ ସରକାର । ଏପରି ହେଲେ ଓଦା ଧାନର ଗୁଣାବତ୍ତା କମିଯିବା ନିଶ୍ଚିତ । ତେଣୁ ଧାନର ମୂଲ୍ୟ କମିଯିବ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିରେ ଧାନଚାଷ ଆରମ୍ଭ କରିଥିଲେ ଚାଷୀ । ଧାନ ଗଛ ଲଗାଇବା ଠାରୁ ଅମଳ ପର୍ଯ୍ୟନ୍ତ ଦିନ ରାତି ଏକ କରି ନିଜ ନିଜ ଜମିକୁ ଜଳସେଚନ ପାଇଁ ଧାରକରଜ କରିଥିଲେ । ହେଲେ ଠିକ୍ ଅମଳ ବେଳେ ଚଳିତ ମାସ ପ୍ରଥମାର୍ଦ୍ଧରେ ହୋଇଥିବା ବର୍ଷାରେ ଧାନଗଛ ସହ କଟାଯାଇଥିବା ଧାନ ଜମିରେ ପଡିରହିଥିଲା । ବର୍ତ୍ତମାନ ଅନେକ ଚାଷୀ ଅମଳ ଧାନ ଗଛ କାଟି ନିଜ ନିଜ ଜମିରେ ଗଦେଇଛନ୍ତି । ଏପରି ସ୍ଥିତିରେ ପୁଣି ଗତ ଦୁଇଦିନ ହେଲା ଲଗାତାର ଝିପି ଝିପି ବର୍ଷା ହେଉଥିବା ଯୋଗୁଁ ନିଶ୍ଚିତ ଧାନ ନଷ୍ଟ ହେବା ଆକଳନ କରିଛନ୍ତି ଚାଷୀ ।