ନୂଆଦିଲ୍ଲୀ: ଶନିବାରଠାରୁ ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି ନରେନ୍ଦ୍ର ମୋଦୀ। କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ-ଅଲ-ଜବର-ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ଗଲଫ କପ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ । ବିଗତ ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ ହୋଇଥିବା ବେଳେ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ କୁଏତ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସ୍ୱାଗତ ପାଇଁ ସହରର ସମସ୍ତ ମୁଖ୍ୟ ରାସ୍ତାଘାଟରେ ‘ହାଲା ମୋଦୀ’ ଲେଖାଯାଇ ବଡ ବଡ଼ ପୋଷ୍ଟର ଲଗାଯାଇଛି।
ଏହି ୨ ଦିନିଆ ଗସ୍ତରେ ମୋଦୀ କୁଏତର ବରିଷ୍ଠ ନେତୃବୃନ୍ଦମାନଙ୍କ ସହିତ ଆଲୋଚନା କରିବା ସହିତ ପ୍ରତିରକ୍ଷା, ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ଦିଗରେ ଆଲୋଚନା କରିବେ। ଏହା ସହିତ ସେ ସେଠାରେ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ଅଛି।
ପ୍ରକାଶଥାଉ କି, ୧୯୮୧ରେ ଶେଷ ଥର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ ଯାଇଥିଲେ। ତେବେ ଦୀର୍ଘ ୪୩ ବର୍ଷ ପରେ ପୁନର୍ବାର ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଯାଉଥିବାରୁ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି ।