ଜୟପୁର: ରାଜସ୍ଥାନର ଜୟପୁରରେ ହୋଇଥିବା ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି ପାଇଥିବା ବେଳେ ୮୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସେଥିମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏହି ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ଶରୀରର ୫୦%ରୁ ଅଧିକ ଅଂଶ ଜଳି ଯାଇଥିବାରୁ କିଛି ମୃତକଙ୍କ ପରିଚୟ ଏଯାବତ ମିଳି ପାରିନାହିଁ । ତେଣୁ ଡିଏନଏ ପରୀକ୍ଷା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ କିଛି ମୃତଦେହର ଡିଏନଏ ପରୀକ୍ଷା ପାଇଁ ସବାଇ ମାନସିଂହ ହସ୍ପିଟାଲକୁ ନମୂନା ପଠାଯାଇଛି । ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ଲାଗି ଘୋଷଣା କରିଛନ୍ତି।
ପ୍ରକାଶଥାଉ କି, ଆଜମେର ରାଜପଥ ନିକଟରେ ଡିପିଏସ ସମ୍ମୁଖରେ ସକାଳ ୫.୪୫ ବେଳକୁ ଏକ ଏଲପିଜି ଗ୍ୟାସ୍ ଟ୍ୟାଙ୍କରକୁ ସିଏନଜି ଗ୍ୟାସ୍ ଟ୍ରକ୍ ଧକ୍କା ଦେବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହୋଇ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିବା ବେଳେ ନିଆଁ ଲାଗି ପ୍ରାୟ ୧ କିମି ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ବିସ୍ଫୋରଣ ଏକ ଭୟଙ୍କର ଥିଲା ଯେ ୧୦ କି.ମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କ ଥିଲା ଯେ ଏଥିରେ ୪୦ରୁ ଅଧିକ ଗାଡ଼ି ଜଳିଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।