ଢାକା: ବାଂଲାଦେଶର ମୈମନସିଂହ ଓ ଦିନାଜପୁରରେ ଥିବା ୩ଟି ହିନ୍ଦୁ ମନ୍ଦିରରେ ଦୁର୍ବୃତ୍ତମାନେ ୮ଟି ମୂର୍ତ୍ତି ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣ ଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଘଟଣାର ଏକ ଅଂଶ ଥିଲା। ତେବେ ଏହି ଘଟଣା ପାଇଁ ପଳାସକନ୍ଦ ଗ୍ରାମର ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ପୋଲିସ।
ମୈମନସିଂହର ହଲୁଆଘାଟ ଉପଜିଲ୍ଲାରେ ଗୁରୁବାର ଓ ଶୁକ୍ରବାର ସକାଳେ ଦୁର୍ବୃତ୍ତମାନେ ଦୁଇଟି ମନ୍ଦିରର ଦୁଇଟି ମୂର୍ତ୍ତି ଭଙ୍ଗାରୁଜା କରିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଗୁରୁବାର ସକାଳେ ହାଲୁଘାଟସ୍ଥିତ ପଳାଶକନ୍ଦ କାଳୀ ମନ୍ଦିରରେ ଦୁର୍ବୃତ୍ତମାନେ ଏକ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ। ଦିନାଜପୁର ବୀରଗଞ୍ଜ ଉପଜିଲ୍ଲା ଝାରବାରୀ ଶାସନ କାଳୀ ମନ୍ଦିରରେ ମଙ୍ଗଳବାର ୫ଟି ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ପଳାସକନ୍ଦ ଗ୍ରାମର ଜଣେ ୨୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଅଲାଲ ଉଦ୍ଦିନ ନାମକ ଉକ୍ତ ଅଭିଯୁକ୍ତ ତାର ଅପରାଧ ସ୍ୱୀକାର କରିଥିଲା। ଏହାପରେ ମୟମନସିଂହର ଏକ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯାଇଛି।
ପ୍ରକାଶଥାଉ କି, ଅଗଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଏବଂ ସମ୍ପତ୍ତି ଉପରେ ଆକ୍ରମଣର ବୃଦ୍ଧି ଘଟିଛି। ହିନ୍ଦୁମାନଙ୍କ ଉପରେ ବାରମ୍ବାର ନିର୍ଯାତନା ଦିଆଯାଉଥିବାକୁ ନେଇ ତୀବ୍ର ବିରୋଧ ଓ ପ୍ରଦର୍ଶନ ହେଉଛି। ସେଥିପାଇଁ ବାଂଲାଦେଶ ଓ ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହେଉଥିବା ହିଂସା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସାଧୁସନ୍ଥମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଜୁନା ଆଖଡ଼ାରେ ଅନୁଷ୍ଠିତ ସାଧୁସନ୍ଥମାନଙ୍କ ବୈଠକରେ କୁହାଯାଇଛି ଯେ, ଯଦି ସନାତନ ବୈଦିକ ରାଷ୍ଟ୍ର ପ୍ରତିଷ୍ଠା ହେବାରେ ବିଫଳ ହୁଏ, ତେବେ କେହି ସନାତନ ଧର୍ମକୁ ବିନାଶ ମୁଖରୁ ରକ୍ଷା କରିପାରିବେ ନାହିଁ।