ମାଗ୍ଡେବର୍ଗ: ଜର୍ମାନ ମାଗ୍ଡେବର୍ଗରେ ଖ୍ରୀଷ୍ଟମାସ ବଜାରରେ ଘଟିଲା ବଡ଼ ଦୁର୍ଘଟଣା । ଲୋକ ଗହଳି ଥିବା ବେଳେ ଆଖି ପିଛୁଳାକେ ଲୋକଙ୍କ ଉପରେ ମାଡ଼ିଗଲା କାର୍ । ଏହି କାର୍ ଧକ୍କା ଯୋଗୁଁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୮ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣା ପଡିଥିବା ବେଳେ ଏନେଇ ଜର୍ମାନ ପୋଲିସ ଜଣେ ଷଡଯନ୍ତ୍ରକାରୀ ସାଉଦି ନାଗରିକକୁ ଗିରଫ କରିଛି । ସେ ପେଶାରେ ଜଣେ ଡାକ୍ତର ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଶୁକ୍ରବାର ରାଜଧାନୀ ବର୍ଲିନଠାରୁ ୧୩୦ କିଲୋମିଟର ଦୂରରେ ଥିବା ମାଗ୍ଡେବର୍ଗ ସହରରେ ଏହି ଦୁର୍ଘଟଣା ଘଟିଥିଲା । ଏଠାରେ ଥିବା ଏକ ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ମାର୍କେଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଜାଣିଶୁଣି ଲୋକଙ୍କ ଉପରେ ମଡ଼ାଇ ଦେଇଥିଲା । ଏଥିପାଇଁ ଷଡଯନ୍ତ୍ର କରିଥିଲେ ଜର୍ମାନରେ ୨୦୦୬ରୁ ରହିଆସୁଥିବା ଜଣେ ୫୦ ବର୍ଷିୟ ଡାକ୍ତର ସାଉଦି ନାଗରିକ। ଉକ୍ତ ଘଟଣା ପାଇଁ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଘଟଣା ସମ୍ପର୍କରେ ସୂଚନା ପାଇ ଆମ୍ବୁଲାନସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ତଦନ୍ତରେ ଏହା କୌଣସି ଆତଙ୍କୀ ହମଲା ହୋଇଥିବ ଭାବି କାରରେ କୌଣସି ବିସ୍ଫୋରକ ଥିବା ନେଇ ସନ୍ଦେହ କରିଥିଲା ପୋଲିସ । ମାତ୍ର ଯାଞ୍ଚ ପରେ କାରରୁ ସେପରି କୌଣସି ସାମଗ୍ରୀ ମିଳିନଥିବା ନେଇ ସ୍ପଷ୍ଟ କରିଛି ପୋଲିସ । ତେବେ ଅଭିଯୁକ୍ତର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।